ଇନ୍ଦ୍ରାବତୀ ଜଳରୁ ନବରଙ୍ଗପୁରକୁ ଜଳସେଚନ ସୁବିଧା ପାଇଁ NCSTଙ୍କ ନିର୍ଦ୍ଦେଶ
୧୫ ଦିନ ମଧ୍ୟରେ DPR ଓ ପ୍ରସ୍ତାବିତ ଯୋଜନା ଦାଖଲ କରିବେ ରାଜ୍ୟ ସରକାର; ଐତିହାସିକ ଅନ୍ୟାୟ ସ୍ୱୀକାର କଲେ RDC ଓ ଜିଲ୍ଲାପାଳ
ଇନ୍ଦ୍ରାବତୀ ଜଳଭଣ୍ଡାର ପ୍ରକଳ୍ପରୁ ନବରଙ୍ଗପୁର ଜିଲ୍ଲାକୁ ଉଦ୍ଦିଷ୍ଟ ଜଳସେଚନ ଓ ଜଳ ବିନିଯୋଗ ସୁବିଧା ପ୍ରଦାନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST)ର ମାନ୍ୟବର ସଦସ୍ୟ ଶ୍ରୀ ଜଟୋଥୁ ହୁସେନ୍ ନବରଙ୍ଗପୁର ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ଇନ୍ଦ୍ରାବତୀ ନଦୀ ଅବବାହିକାର ଜଳରୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ତୁରନ୍ତ DPR ପ୍ରସ୍ତୁତ କରିବା ଏବଂ ପ୍ରସ୍ତାବିତ ଯୋଜନା ଓ କାର୍ଯ୍ୟକ୍ରମର ବିବରଣୀ ୧୫ ଦିନ ମଧ୍ୟରେ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱରସ୍ଥିତ MCL ଗେଷ୍ଟ ହାଉସ୍ରେ ଅନୁଷ୍ଠିତ ଆୟୋଗଙ୍କ ଶୁଣାଣିରେ Revenue ଡିଭିଜନାଲ୍ କମିଶନର (ଦକ୍ଷିଣାଞ୍ଚଳ) ଶ୍ରୀଯୁକ୍ତ ଅମୃତ କୁଲାଙ୍ଗ , ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଡାଣ୍ଡକାରଣ୍ୟ ବିକାଶ ମହାମଞ୍ଚର ସଭାପତି ତଥା ଆବେଦନକାରୀ ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ ମଞ୍ଚ ପକ୍ଷରୁ ନିଜର ଯୁକ୍ତି ଓ ଦସ୍ତାବିଜ୍ ଆୟୋଗଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ଶ୍ରୀ ତ୍ରିପାଠୀ କହିଥିଲେ ଯେ, ତାଙ୍କ ସଂଗଠନ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କିମ୍ବା ଅନ୍ୟ କୌଣସି ଅଞ୍ଚଳର ବିକାଶକୁ ବିରୋଧ କରୁନାହିଁ। ସେମାନଙ୍କର ମୂଳ ପ୍ରଶ୍ନ ହେଉଛି, ଏହି ପ୍ରକଳ୍ପରୁ ନବରଙ୍ଗପୁର ଜିଲ୍ଲା ପାଇଁ ପରିକଳ୍ପିତ ତଳମୁଣ୍ଡ ଜଳସେଚନ ଓ ଜଳ ବିନିଯୋଗ ସୁବିଧା ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ, ବିଶେଷକରି ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଏହାର ଲାଭ ପାଇଛନ୍ତି କି ନାହିଁ।
ନିଜର ପକ୍ଷ ସମର୍ଥନରେ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଉପସ୍ଥାପନ କରିଥିଲେ। ପ୍ରଥମତଃ, ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ୩୦ ଜୁଲାଇ ୨୦୨୬ରେ ଲୋକସଭାରେ ଦେଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା ୧୯୬୪ର ଉତ୍ତର ଯେଉଁଠି ମୂଳ DPR ଓ ବିଶ୍ୱବ୍ୟାଙ୍କ ସହାୟତାପ୍ରାପ୍ତ ପ୍ରକଳ୍ପ ଦସ୍ତାବିଜ୍ରେ କୋରାପୁଟ ଓ ନବରଙ୍ଗପୁର ପାଇଁ ତଳମୁଣ୍ଡ ଜଳସେଚନ ଓ ଜଳ ବିନିଯୋଗ ସୁବିଧାର ପରିକଳ୍ପନା ଥିବା ସ୍ପଷ୍ଟ କରାଯାଇଛି ।
ଦ୍ୱିତୀୟତଃ, ୧୯୭୫ ମସିହାର ଓଡ଼ିଶା-ମଧ୍ୟପ୍ରଦେଶ ଜଳଚୁକ୍ତିରେ ଇନ୍ଦ୍ରାବତୀ ଅବବାହିକାର ମୋଟ ଜଳପ୍ରବାହ ୨୦୪ TMC ଧରାଯାଇ, ଉପର ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ୯୧ TMC ଏବଂ ମଧ୍ୟପ୍ରଦେଶକୁ ୭୫ ପ୍ରତିଶତ ନିର୍ଭରଯୋଗ୍ୟତା ଆଧାରରେ ୪୫ TMC ଜଳପ୍ରବାହର ବ୍ୟବସ୍ଥା କରାଯାଇଥିବାରୁ ଏହି ହିସାବରେ ୬୮ TMC ବଳକା ଜଳର ଏକ ଗାଣିତିକ ହିସାବ ରହିଛି । ୧୧ ଜୁଲାଇ ୧୯୭୯ର ଚୁକ୍ତିରେ ଓଡ଼ିଶା ନିଜ ରାଜ୍ୟ ସୀମା ମଧ୍ୟରେ ଏହି ବଳକା ଜଳକୁ ଚାଲୁ ରହିଥିବା, ନିର୍ମାଣାଧୀନ ଓ ପ୍ରସ୍ତାବିତ ପ୍ରକଳ୍ପ ଓ ଯୋଜନାରେ ବିନିଯୋଗ କରିପାରିବ ବୋଲି ବ୍ୟବସ୍ଥା ଥିବା କଥା ସେ ଦସ୍ତାବିଜ୍ ପ୍ରଦାନ ପୂର୍ବକ କୋରାପୁଟ ଓ ନବରଙ୍ଗପୁର ପାଇଁ ଜଳସେଚନର ସୁବିଧା ଯୋଗାଇଦେବା ପାଇଁ ଯୁକ୍ତି ଵାଢିଥିଲେ ।
ତୃତୀୟତଃ, ନବରଙ୍ଗପୁର ଜଳସେଚନ ପ୍ରକଳ୍ପର DPR କେନ୍ଦ୍ରୀୟ ଜଳ ଆୟୋଗ (CWC) ଦ୍ୱାରା ପରୀକ୍ଷା କରାଯାଇଥିଲେ ମଧ୍ୟ ଛତିଶଗଡ଼ର ଆବଶ୍ୟକ No Objection Certificate ନ ମିଳିବାରୁ ୩୧ ଜାନୁଆରୀ ୨୦୨୪ରେ ତାହା ଓଡ଼ିଶା ସରକାରଙ୍କୁ ଫେରାଇ ଦିଆଯାଇଥିଲା। ଏହା ପରେ ଏହି ପ୍ରକଳ୍ପର ଉଦ୍ଦିଷ୍ଟ ଲାଭ ସାକାର କରିବା ପାଇଁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି, ତାହାର ଉତ୍ତର ମାଗିଥିଲେ ଶ୍ରୀ ତ୍ରିପାଠୀ।
ଦୀର୍ଘ ସମୟ ଧରି ଚାଲିଥିବା ତର୍କବିତର୍କ ଓ ଶୁଣାଣି ପରେ RDC (ଦକ୍ଷିଣାଞ୍ଚଳ) ଓ ନବରଙ୍ଗପୁର ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ପ୍ରତି ଐତିହାସିକ ଭୁଲ୍ ଓ ଅନ୍ୟାୟ ହୋଇଥିବା ସ୍ୱୀକାର କରିଥିବା ଏବଂ ଲୋକଙ୍କ ସ୍ୱାର୍ଥରେ ସମ୍ଭବ ସମସ୍ତ ସଂଶୋଧନମୂଳକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।
ଶୁଣାଣିରେ ଆୟୋଗର ମାନ୍ୟବର ସଦସ୍ୟ ଶ୍ରୀ ଜଟୋଥୁ ହୁସେନ୍ ସ୍ପଷ୍ଟ କରିଥିଲେ ଯେ, ଏହି ମାମଲାରେ ନବରଙ୍ଗପୁର ଜିଲ୍ଲାକୁ ଇନ୍ଦ୍ରାବତୀ ନଦୀ ଅବବାହିକାର ଜଳରୁ ଜଳସେଚନ ସୁବିଧା ଯୋଗାଇବା ପ୍ରସଙ୍ଗକୁ ହିଁ ମୁଖ୍ୟତଃ ବିଚାର କରାଯିବ। ଅନ୍ୟ ଜଳସ୍ରୋତରୁ ହୋଇଥିବା ଜଳସେଚନ ଏହି ଅଭିଯୋଗର ପ୍ରସଙ୍ଗ ନୁହେଁ। ତେଣୁ ଇନ୍ଦ୍ରାବତୀ ଜଳ ଆଧାରିତ ପ୍ରସ୍ତାବିତ ଯୋଜନା ଓ କାର୍ଯ୍ୟକ୍ରମର DPR ତୁରନ୍ତ ପ୍ରସ୍ତୁତ କରି ୧୫ ଦିନ ମଧ୍ୟରେ ଆୟୋଗଙ୍କୁ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ RDC (ଦକ୍ଷିଣାଞ୍ଚଳ) ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶ୍ରୀ ତ୍ରିପାଠୀଙ୍କ ସହ ଆଲୋଚନା କରି ଭବିଷ୍ୟତ ଯୋଜନାର ରୂପରେଖ ତୁରନ୍ତ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିବା ଏବଂ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ RDC କାର୍ଯ୍ୟାଳୟରେ ଏକ ବୈଠକ କରି ଇନ୍ଦ୍ରାବତୀ ଅବବାହିକାରୁ ନବରଙ୍ଗପୁରକୁ ଜଳସେଚନ ଜଳ ଯୋଗାଣର ବ୍ୟବସ୍ଥା ନିର୍ଦ୍ଧାରଣ କରିବାକୁ ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଥିବା ଜଣାପଡ଼ିଛି ।
ଏହି ଅଗ୍ରଗତିକୁ ଐତିହାସିକ ନ୍ୟାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରି ଶ୍ରୀ ତ୍ରିପାଠୀ କହିଛନ୍ତି, “ନବରଙ୍ଗପୁରବାସୀ କୌଣସି ଦୟା କିମ୍ବା ବିଶେଷ ଅନୁଗ୍ରହ ଚାହୁଁନାହାନ୍ତି। ସେମାନେ ଚାହୁଁଛନ୍ତି ସମାନ ବିକାଶ, ଜୀବିକାର ସୁରକ୍ଷା ଓ ନ୍ୟାୟ। ଇନ୍ଦ୍ରାବତୀ ଜଳ ପାଇଁ ନ୍ୟାୟର ଏହି ସଂଗ୍ରାମ ଜାରି ରହିବ।”
