ଉତ୍କଳ ବାଳାଶ୍ରମରେ ଅନିୟମିତତା :ସୁପରିନଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ
ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଅନାଥ ଶିଶୁ ଆଶ୍ରୟସ୍ଥଳ ଉତ୍କଳ ବାଳାଶ୍ରମରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ଶିଶୁ କଲ୍ୟାଣ ସମିତିର ଆକସ୍ମିକ ଗସ୍ତ ସମୟରେ ଏହି ଅନିୟମିତତା ଧରାପଡିଛି।ସମିତି ସଦସ୍ୟମାନେ ବାଳାଶ୍ରମ ପରିଦର୍ଶନ ସମୟରେ ଦେଖିଲେ ଯେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର । ରନ୍ଧା ହୋଇଥିବା ଭାତରେ ଖାଲି ପୋକ ଥିଲା। ଷ୍ଟୋର ରୁମ୍ ରେ ରଖାଯାଇଥିବା ଚାଉଳରେ ମଧ୍ୟ ବହୁ ପରିମାଣରେ ପୋକ ଥିବା ଦେଖିବାକୁ ମିଳିଥିଲା। ଏଭଳି ଖାଦ୍ୟ ଖାଇ ଶିଶୁମାନେ ଅସୁସ୍ଥ ହେଉଥିବା ଆଶଙ୍କା କରାଯାଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବାଳାଶ୍ରମର ସୁପରିନଟେଣ୍ଡେଣ୍ଟ ମାଳତୀ ଜେନାଙ୍କ ବିରୁଦ୍ଧରେ ଆଗରୁ ମଧ୍ୟ ବହୁ ଅଭିଯୋଗ ରହିଛି। ଶିଶୁମାନଙ୍କୁ ମାଡ ମାରିବା, ଶିଶୁମାନଙ୍କୁ ଶିଶୁଶ୍ରମରେ ନିୟୋଜିତ କରିବା ଏବଂ ସରକାରୀ ଅର୍ଥ ଆତ୍ମସାତ କରିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାଁରେ ଆସିଛି। ସେ କାହା ବଳରେ ଏତେ ଦିନ ଧରି ଏହି ପଦରେ କାର୍ଯ୍ୟରତ ଅଛନ୍ତି ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି।ଏହି ସମସ୍ତ ବିଷୟକୁ ନେଇ ଶିଶୁ କଲ୍ୟାଣ ସମିତି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଟେକସନ୍ ଅଫିସର ଅଞ୍ଜନା ମାଡାମଙ୍କୁ ବାଳାଶ୍ରମକୁ ଡାକି ସମସ୍ତ ଅନିୟମିତା ଦେଖାଇଥିଲେ। ସେ ମଧ୍ୟ ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଜିଲ୍ଲାରେ ଗୋଟିଏ ମାତ୍ର ବାଳାଶ୍ରମ ଥିବା ବେଳେ ସେଥିରେ ଅନାଥ ଶିଶୁମାନଙ୍କ ସହ ମାଡାମ ମାଳତୀ ଙ୍କ ଏ ଭଳିଆ ମନୋବୃତି ଦେଖି ବୁଦ୍ଧିଜୀବୀ ମହଲ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
