‘ଓଡିଶା ବନ୍ଦ’ ଓ ‘କଳା ଦିବସ’ ବ୍ୟାପକ ଜନ ସମର୍ଥନ ଯୋଗୁଁ ସଫଳ ହୋଇଛି : ଭକ୍ତ
ଆମେ ଆମ ପକ୍ଷ ରଖିବୁ କିନ୍ତୁ ୟୁ-ଟର୍ନ ମାରିବୁ ନାହିଁ : ଭକ୍ତ
ଅଭୁତପୂର୍ବ ବନ୍ଦ ସଫଳତା ପାଇଁ ଜନସାଧାରଣ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଇଲେ ଭକ୍ତ
ଭୁବନେଶ୍ୱର:ଆଜି ଚାରିଗୋଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା l ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସହରର ବିଭିନ୍ନ ରାସ୍ତାରେ ପିକେଟିଂ ଓ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ l
ଏହି ଅବସରରେ ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଥିଲେ ଯେ, ଓଡିଶା ବନ୍ଦ ବ୍ୟାପକ ଜନସମର୍ଥନ ଯୋଗୁ ସଫଳ ହୋଇଛି। ଆମେ ବହୁ ପୂର୍ବରୁ ଲୋକଙ୍କୁ ଅବଗତ କରାଇଥିଲୁ। ଜିଲ୍ଲାରୁ ପଞ୍ଚାୟତ ପର୍ଯ୍ୟନ୍ତ ଆମେ ବନ୍ଦ ପାଇଁ ଅପିଲ କରିଥିଲୁ। ତେଣୁ ଏହାର ବିଶେଷ ପ୍ରଭାବ ପଡ଼ିଛି।

ଆମେ ଏମ୍ଏମ୍ଡିଆର୍ ଆକ୍ଟ ପ୍ରତ୍ୟାହାର, ବନ୍ୟା ବିପତ୍ତି ନିୟନ୍ତ୍ରଣରେ ବିଫଳତା, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲୁ। ଆମର ସମସ୍ତ ଦାବି ଲୋକଙ୍କ ମନକୁ ଛୁଇଁଛି। ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି। କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ଦିଲ୍ଲୀରେ ପୁଲିସର ଅମାନବୀୟ ଆଚରଣ ଯୋଗୁଁ ଆଜିର ଦିନଟିକୁ ରାଜ୍ୟବ୍ୟାପୀ ମଧ୍ୟ ‘କଳାଦିବସ’ ଭାବେ ପାଳନ କରାଯାଇଥିବା ନେଇ ଶ୍ରୀ ଦାସ ସୂଚନା ଦେଇଥିଲେ।
ସେ କହିଥିଲେ, ଆଗକୁ ଆହୁରି ବ୍ୟାପକ ଆନ୍ଦୋଳନ ହେବ। ମନ୍ତ୍ରୀମାନଙ୍କୁ ଘେରାଉ କରାଯିବ। ଯଦି ସେମାନେ ଗଣତନ୍ତ୍ରକୁ ସମ୍ମାନ କରିବେ ନାହିଁ, ଲୋକେ କିପରି ବିରୋଧ କରିବେ, ତାହା ଆମେ ଜାଣିଛୁ।
ବିଜେଡି ମାନସିକ ସମର୍ଥନ କରୁଛି ବୋଲି ସେମାନେ ଘୋଷଣା କରିଛନ୍ତି। ଭବିଷ୍ୟତରେ ସେମାନେ ଆନ୍ଦୋଳନ କରିବେ, ସେତେବେଳେ ଆମେ ଆମର ପକ୍ଷ ରଖିବୁ। କିନ୍ତୁ ତାଙ୍କ ଭଳି ୟୁ-ଟର୍ନ ନେବୁ ନାହିଁ ବୋଲି ଦୃଢତାର ସହିତ ଶ୍ରୀ ଦାସ ପ୍ରକାଶ କରିବା ସହ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ଆଜିର ଏହି ଐତିହାସିକ ବନ୍ଦର ସଫଳତା ପାଇଁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହ ସେ ମଧ୍ୟ ଏହି ବନ୍ଦ ପାଳନର ସଫଳତାର ଶ୍ରେୟ ଗଣମାଧ୍ୟମକୁ ମଧ୍ୟ ଦେଇଥିଲେ।
