ଓବିସି ଜାତି ଜନଗଣନା ଦାବିରେ ଶୋଭାଯାତ୍ରା ଓ ଧାରଣା
ସୁବର୍ଣ୍ଣପୁର: ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବା ସତ୍ତ୍ୱେ ଏଠାରେ ବିଭିନ୍ନ ଜାତି ଓ ବର୍ଗର ଲୋକ ବସବାସ କରୁଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ ସଠିକ୍ ସ୍ଥିତି ଅନୁଧ୍ୟାନ କରି ସେମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବା ପାଇଁ ଜନଗଣନା ଏକ ଅତ୍ୟନ୍ତ ଆବଶ୍ୟକ ପ୍ରକ୍ରିୟା। ସମ୍ବିଧାନ ଅନୁଯାୟୀ ପ୍ରତି ଦଶ ବର୍ଷରେ ଜନଗଣନା କରିବା ବିଧେୟ ଥିବା ସତ୍ତ୍ୱେ ଓବିସି ବର୍ଗର ଲୋକଙ୍କ ସଂଖ୍ୟା ନିର୍ଦ୍ଧାରଣରେ ଦୀର୍ଘଦିନ ଧରି ଅବହେଳା ହେଉଥିବା ଅଭିଯୋଗ ହୋଇଛି।ବିଗତ ଦିନରେ କାକା କାଳେଲକର କମିଶନ, ମଣ୍ଡଳ କମିଶନ ଓ ରୋହିଣୀ କମିଶନ ପକ୍ଷରୁ ଓବିସି ଜାତି ଜନଗଣନା ପାଇଁ ସୁପାରିଶ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି । 30 ଏପ୍ରିଲ 2025ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଓବିସି ଜାତି ଜନଗଣନା ପ୍ରସ୍ତାବ ଗ୍ରହଣ କରିଥିବା ସତ୍ତ୍ୱେ, ଚଳିତ ଜନଗଣନା ଫର୍ମରେ ଓବିସି ପାଇଁ ପୃଥକ କଲମ ନ ଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ଓବିସି ମଞ୍ଚ ଓଡିଶାର ଆହ୍ୱାନରେ ଭୁବନେଶ୍ୱରରେ ଏକ ବ୍ୟାପକ ଶୋଭାଯାତ୍ରା ଓ ଧାରଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ 2027 ମସିହାର ଜନଗଣନାରେ ଓବିସି ବର୍ଗକୁ ଅନ୍ତର୍ଭୁକ୍ତ କରିବା ସହିତ ଜନଗଣନା ଫର୍ମର ସମ୍ପର୍କିତ ଅଧ୍ୟାୟ ଓ କଲମରେ ସ୍ପଷ୍ଟ ଭାବେ ସ୍ଥାନ ଦେବାକୁ ଦାବି କରାଯାଇଛି।ଏହା ସହିତ “ଓବିସି ଜାତି ଜନଗଣନା ନାହିଁ, ତେବେ ଭୋଟ ନାହିଁ” ବୋଲି ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ରଙ୍କ ସଭାପତିତ୍ୱ ଓ ସମ୍ବଲପୁର ଜିଲ୍ଲା ଆବାହକ ସରୋଜ କୁମାର ସାହୁଙ୍କ ସଂଯୋଜନାରେ ବିଭିନ୍ନ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଞ୍ଜିତାରାଣୀ ପ୍ରଧାନ, ଉପ ସଭାପତି ନାରାୟଣ ସାହୁ, ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ପ୍ରବକ୍ତା ବିରଞ୍ଚି ସାହୁ, ଓବିସି ଫେଡେରେସନ ସଭାପତି ଅନାଦି ସାହୁ, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ, ସହ ସମ୍ପାଦକ କୃତ୍ତିବାସ ପଲିଆ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରର ନେତାମାନେ ଓ ଶତାଧିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
