କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ସଂପର୍କରେ ମୁଖ୍ୟତଃ ବୈଠକ ପର୍ଯ୍ୟବେଶିତ ଥିଲା । ପ୍ରାରମ୍ଭରେ କେନ୍ଦ୍ରାଞ୍ଚଳ ପରିବହନ ଉପଆୟୁକ୍ତ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ବିରଞ୍ଚି ନାରାୟଣ ଅଧିକାରୀ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତି ରଖିବାକୁ କହିବା ସହ ଅସଂପୂର୍ଣ୍ଣ ଥିବା କାର୍ଯ୍ୟଗୁଡିକ ଉପରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇତି ମଧ୍ୟରେ ମଙ୍ଗୁଳି ଠାରେ ରାସ୍ତା ଉପର ଦେଇ ପାର ହେବା ପାଇଁ ପାଦ ଚଲା ପୋଲ ଦୁଇଟିରୁ ଗୋଟିଏର ନିର୍ମାଣ ସଂପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ଗୋଟିଏ ଶୀଘ୍ର ସଂପୃର୍ଣ୍ଣ ହେବ ବୋଲି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ପ୍ରକାଶ କରିଥିଲେ । କଟକ- ନିଶ୍ଚିନ୍ତକୋଇଲି, ଟାଙ୍ଗୀ-ହରିପୁର ଆଦି ରାସ୍ତାର ସମସ୍ୟା ଓ ଏହାର ସମାଧାନ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ତୃତୀୟ ପକ୍ଷ ଅଡିଟ ରିପୋର୍ଟ ତୁରନ୍ତ ଦାଖଲ କରିବା ପାଇଁ ବିଭିନ୍ନ ସଡକ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସାଲେପୁର-ଚାନ୍ଦବାଲି ରାସ୍ତାରେ ଆବଶ୍ୟକ ସ୍ଥଳେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଉପରେ ହମ୍ପ୍ସ ନିର୍ମାଣ କରି ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ଵ ଦିଆଯାଇଥିଲା । ଜାତୀୟ ରାଜପଥ ଉପରେ ବେଆଇନ ଭାବେ ପାର୍କିଂ କରୁଥିବା ଭାରିଯାନର ଅପସାରଣ ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦିବାରାତ୍ର କାର୍ଯ୍ୟକରୁଥିବା ବେଳେ ଅମାନ୍ୟ କରୁଇଥିବା ଭାରିଯାନ ଗୁଡିକୁ ଜୋରିମାନା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏହାର ଫୋଟୋ ପ୍ରେରଣ ନିମନ୍ତେ କୁହାଯାଇଥିଲା । ବାରଙ୍ଗ ନିକଟବର୍ତ୍ତୀ ରାସ୍ତା ଉପରେ ବାଲି ପରିବହନ ଯୋଗୁ ଜମିରହୁଥିବା ବାଲିକୁ ପର୍ଯ୍ୟାୟ କ୍ରମେ ନିର୍ଦ୍ଧିଷ୍ଟ କରାଯାଇଥିବା ଅଞ୍ଚଳ ସଫା କରିବା ନିମନ୍ତେ ଘାଟ ନିଲାମକାରୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପଶୁପତି ଗଡା ନିକଟରେ ଉନ୍ନତମାନର କ୍ୟାମେରା ଲଗାଇବା ପାଇଁ ଜାତୀୟ ରାଜପଥର କର୍ତ୍ତୃପକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କଟକ ମହାନଗରନିଗମ ତଥା ଏହାକୁ ସଂଯୋଗ କରୁଥିବା ରାସ୍ତା ଏବଂ ଛକ ଗୁଡିକର ଟ୍ରାଫିକ ଲାଇଟକୁ ପୂର୍ଣ୍ଣକ୍ଷମ ସୁନିଶ୍ଚିନ୍ତ କରିବା ନିମନ୍ତେ ସହକାରୀ ପୋଲିସ ଆୟୁକ୍ତ (ଟ୍ରାଫିକ)ଙ୍କୁ ଅନୁରୋଧ କରାଯିବା ସହ ହାଉଡ଼ାମୋଟର ଛକରୁ ପ୍ରମୋଦ ହୋଟେଲ ଏବଂ ରାମ ମନ୍ଦିର ରାସ୍ତା ଅଞ୍ଚଳରେ ରାସ୍ତା ଉପରେ ବେଆଇନ ପାର୍କିଂ ହଟାଇବା ନିମନ୍ତେ ଉପଯୁକ୍ତ ପାର୍କିଂ ସ୍ଥାନ ଚିହ୍ନଟ କରି କମିଟିକୁ ଜଣାଇବା ନିମନ୍ତେ ଅନୁରୋଧ କରାଯାଇଥିଲା । ଗୋପାଳପୁର ନିକଟରେ ଦିଗନିର୍ଣ୍ଣୟ ଫଳକ ଗୁଡିକୁ ଅପେକ୍ଷାକୃତ ବଡ ଆକାରର ଲଗାଇବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ପେଟାନାଳ ନିକଟ ରାସ୍ତା ଉପରୁ ପରିବା ଓ ମାଛ ବିକ୍ରେତାଙ୍କୁ ଅପସାରଣ କରିବା ନିମନ୍ତେ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ରାସ୍ତାକଡ ବିଦ୍ୟାଳୟ ଗୁଡିକର ରାସ୍ତାପଟୁ ଥିବା ପ୍ରବେଶ ଦ୍ଵାର ର ସ୍ଥାନ ପରିବର୍ତ୍ତନ କରାଯିବା ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତିକ ସିଂ ବେଆଇନ ଭାବେ ମଦ ବିକ୍ରୟ କରୁଥିବା ରାସ୍ତାକଡ ହୋଟେଲ ଉପରେ ଚଢାଉ କରାଯିବା ପାଇଁ ଭାରପ୍ରାପ୍ତ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକଙ୍କର ମଦ୍ୟପାନର ପ୍ରମାଣ ନିମନ୍ତେ ସ୍ଵାସ୍ଥ୍ୟକର ଦୃଷ୍ଟିରୁ ସଂପର୍କ ବିହିନ ଯନ୍ତ୍ର ବ୍ୟବହାର ଉପର ଗୁରୁତ୍ଵ ଦେବା ସହ ରାସ୍ତା ଗୁଡିକର ମଧ୍ୟ ଏବଂ ପାର୍ଶ୍ଵବର୍ତ୍ତୀ ସ୍ଥାନକୁ ରଙ୍ଗ ଚିହ୍ନିତ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ବିଭିନ୍ନ କୋଚିଙ୍ଗ ତଥା ଅନ୍ୟ ଅନୁଷ୍ଠାନମାନଙ୍କରେ ନାବାଳକ ଗାଡି ଚାଳନା ନିଷେଧ ଉପରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଇଥିଲା । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ସୁଚିନ୍ତିତ ମତାମତ ରଖିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷାକରି ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ