କାମରେ ଆସୁନି ମିଶନ ଶକ୍ତି ଗୃହ
ଗାଈଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି, କାନ୍ଥରେ ଫାଟ
ରଣପୁର, : ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ ନିର୍ମିତ ମିଶନ ଶକ୍ତି ଗୃହ ଏବେ ଅବ୍ୟବହୃତ ହୋଇ ପଡ଼ିଛି। ରଣପୁର ବିଜ୍ଞାପିତ ଅଞ୍ଚଳର ୬ ନମ୍ବର ୱାର୍ଡରେ ଥିବା ଏହି ମିଶନ ଶକ୍ତି ଗୃହ କୌଣସି କାମରେ ଆସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଏହି ଗୃହ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଦେଖିବାକୁ ମିଳୁଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାର ଅବସ୍ଥା ଧୀରେ ଧୀରେ ଶୋଚନୀୟ ହେବାରେ ଲାଗିଛି। ନାଁ ହେଉଛି ମରାମତି, ନାଁ ହେଉଛି ଏହାର ସଠିକ୍ ବ୍ୟବହାର।ସରକାରୀ ଅର୍ଥରେ ନିର୍ମିତ ଏଭଳି ଏକ ଗୃହ ଅବ୍ୟବହୃତ ହୋଇ ପଡ଼ିରହିବା ଯୋଗୁଁ ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ତୁରନ୍ତ ମରାମତି କରାଯାଇ ମିଶନ ଶକ୍ତି ଗୃହକୁ ମହିଳା ଓ ମିଶନ ଶକ୍ତି ସଦସ୍ୟଙ୍କ ଉପଯୋଗରେ ଆଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଏଥିପ୍ରତି ରଣପୁର ବିଜ୍ଞାପିତ ଅଞ୍ଚଳର ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ବାଳକୃଷ୍ଣ ଷଢଙ୍ଗୀ
ରଣପୁର
