April 22, 2026
Home » ‘କୃଷକଙ୍କୁ ମର୍ଯ୍ୟାଦା ନଦେଲେ କୃଷି ବିକାଶ ଅସମ୍ଭବ

‘କୃଷକଙ୍କୁ ମର୍ଯ୍ୟାଦା ନଦେଲେ କୃଷି ବିକାଶ ଅସମ୍ଭବ

0
WhatsApp Image 2026-04-21 at 3.57.11 PM

କେନ୍ଦ୍ରାପଡା: କୃଷକମାନେ ଆର୍ଥିକ ଭାବେ ସଶକ୍ତ ହେବା ଆବଶ୍ୟକ l ଆର୍ଥିକ ସମ୍ପନ୍ନ ହେଲେ ଯାଇ ସେମାନଙ୍କୁ ସବୁଠି ସମ୍ମାନ ମିଳିବ l କୃଷକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ନ ମିଳିବା ପର୍ଯ୍ୟନ୍ତ କୃଷିର ବିକାଶ ଅସମ୍ଭବ ବୋଲି କୃଷକ ବିକାଶ ସମବାୟ ସମିତି ଦ୍ୱାରା ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ କୃଷିମନ୍ତ୍ରୀ ଆମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି l ବିଶିଷ୍ଟ ସମବାୟବିଦ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଉଦୟନଗର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ସମାବେଶରେ ଶ୍ରୀ ଶତପଥୀ ଆହୁରି କହିଲେ ଯେ, କୃଷକମାନେ କେବଳ ଧାନ ଚାଷରେ ନିଜକୁ ସୀମିତ ନରଖନ୍ତୁ l ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଅନୁସଙ୍ଗିକ କୃଷି ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ l
ଏଥିରେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ, ଆଇଏଏସ ସୁଦର୍ଶନ ନାୟକ ଯୋଗଦେଇ ସମବାୟ ହିଁ ଦେଶ ବା ରାଜ୍ୟ ବିକାଶର ଚାବିକାଠି ବୋଲି କହିଥିଲେ l ଯେଉଁ ଦେଶ ବା ରାଜ୍ୟରେ ସମବାୟ ଯେତେ ଉନ୍ନତ ସେହି ଦେଶ ବା ରାଜ୍ୟ ସେତେ ସମୃଦ୍ଧଶାଳୀ ବୋଲି ଉଦାହରଣ ସହିତ ବୁଝାଇଥିଲେ l ଜାପାନ, ଜର୍ମାନୀ , ଗୁଜରାଟ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ବିକାଶରେ ସମବାୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ଲାଗିପଡ଼ି ତଳିତଳାନ୍ତ କରାଯାଉଛି ବୋଲି ପ୍ରକାଶ କରିଥିଲେ l ରାଜନୀତିର ପଶାପାଲିରେ ଅଭିସନ୍ଧି ମୂଳକ ଭାବରେ ସମବାୟକୁ ପେଷି ଦିଆଯାଉଛି ବୋଲି କହି ଏହାର ସମାଲୋଚନା କରିଥିଲେ l
ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଯୋଗଦେଇ ଏପର୍ଯ୍ୟନ୍ତ ଚାଷ କେବଳ ଚାଷୀର ଗୁଜରାଣ ମେଣ୍ଟାଉଛି ବୋଲି କହିବା ସହିତ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଲାଭଜନକ ବୃତ୍ତିଟିଏ ହୋଇପାରିନାହିଁ ବୋଲି ପ୍ରକାଶ କରିଥିଲେ l ଅଭାବ ବିକ୍ରୀ ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ l ପ୍ରତିଥର ସରକାର ବଦଳୁଥିଲେ ମଧ୍ୟ ଚାଷୀର ଆୟ ବଢୁନି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ l ଆଞ୍ଚଳିକ ଭିତ୍ତିକ କୃଷିର ବିକାଶ ତଥା ସମ୍ଭାବନାକୁ ନେଇ ଚାଷୀକୁ ଉତ୍ସlହିତ କରିବାକୁ ପରାମର୍ଶ ଦେଇଥିଲେ l
ଏଥିରେ ସମ୍ମାନିତ ଅତିଥି ଭାବରେ ଆଇସିଏଆର – ସିଆରଡବ୍ଲୁଏ ମୁଖ୍ୟ ବୈଜ୍ଞାନିକ ଓ ବିଭାଗୀୟ ଅଧ୍ୟକ୍ଷ ଡ଼.ଅରୁଣ କୁମାର ପଣ୍ଡା ଯୋଗଦେଇ କୃଷିକ୍ଷେତ୍ରରେ ମହିଳାଙ୍କ ସମସ୍ୟାର ସମାଧାନ ଓ କୃଷିଜୀବୀ ମହିଳାଙ୍କ ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ l ଏଥିରେ ସମ୍ମାନିତ ବକ୍ତା ଭାବରେ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ସାମଲ ଯୋଗଦେଇ ଯୁଦ୍ଧ ପାଇଁ ଆଗାମୀ ଦିନରେ ରାସାୟନିକ ସାର ଅଭାବ ପଡିବାର ସମ୍ଭାବନା ଥିବାରୁ ଏବେଠୁ ସାର ସଂଗ୍ରହ କରିନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ l
ସଭାପତି ଶ୍ରୀ ସାହୁ ନିଜ ବକ୍ତବ୍ୟରେ ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ l ପନିପରିବା ଫସଲର ଅଭାବୀ ବିକ୍ରୀ ରୋକିବାକୁ ଓ ଚାଷୀକୁ ଫସଲର ଉପଯୁକ୍ତ ମୂଲ୍ୟ ମିଳିବାକୁ ରାଜ୍ୟରେ ଭେଜଫେଡ଼ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ l ଚାଷୀ ନିକଟରେ ପ୍ରଶାସନ ପହଞ୍ଚିବାର ବ୍ୟବସ୍ଥାକୁ ଦୃଢ ଓ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ l
ସମିତିର ଉପ ସଭାନେତ୍ରୀ ପାର୍ବତୀ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ସମ୍ପାଦକ ମନୋଜ ସାହୁ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ l ନିର୍ଦେଶକ ଅଭୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଭିନ୍ନ ଫସଲ ଚାଷ ଓ ପଶୁପାଳନରେ ସଫଳ କୃଷକମାନଙ୍କ ସହିତ ସମବାୟ ସଂସ୍ଥାର ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠିତ ସମାବେଶରେ ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାଞ୍ଚଶହରୁ ଅଧିକ ଚାଷୀ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *