“ଗୌ ସମ୍ମାନ ଆହ୍ୱାନ ଅଭିଯାନ” ଗୁରୁତ୍ୱପୂର୍ଣ୍ଣ ଭାବେ ପାଳନ
ଛତ୍ରପୁର: ସମଗ୍ର ଭାରତର ସମସ୍ତ ତହସିଲ୍ କାର୍ଯ୍ୟାଳୟରେ “ଗୌ ସମ୍ମାନ ଆହ୍ୱାନ ଅଭିଯାନ” ଗୁରୁତ୍ୱପୂର୍ଣ୍ଣ ଭାବେ ପାଳନ କରାଯାଇଥିବା ବେଳେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ୍ ରେ ମଧ୍ୟ ଏହା ଜୋରଦାର ଓ ଐତିହାସିକ ଭାବରେ ଆୟୋଜିତ ହୋଇଛି।ସାଧୁ-ସନ୍ତମାନଙ୍କ ଆହ୍ୱାନ, ଗୌଭକ୍ତମାନଙ୍କ ଅଦମ୍ୟ ସହଯୋଗ ଓ ସମସ୍ତ ସନାତନ ହିନ୍ଦୁ ଭାଇବନ୍ଧୁମାନଙ୍କ ଏକତାରେ ଏହି ଅଭିଯାନ ଏକ ବିଶାଳ ଜନଆନ୍ଦୋଳନର ରୂପ ନେଇଥିଲା ।ଛତ୍ରପୁର ଅଞ୍ଚଳର , କରାତୁଳୀ, ପୋଡ଼ାପୋଡ଼ର, କୋଣମୋଣା, ଅର୍ଜିପଲ୍ଲୀ, ଚିକଲଖଣ୍ଡି , ରଘୁନାଥପୁର ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତ, ଗାଁ, ଗଳି ଓ ନଗର ୱାର୍ଡର ଲୋକମାନେ ବ୍ୟାପକ ଭାବେ ଯୋଗଦେଇ ସହମତି ହସ୍ତାକ୍ଷର ମାଧ୍ୟମରେ ନିଜର ସମର୍ଥନ ପ୍ରକାଶ କରିଥିଲେ। ଏହି ସାମୁହିକ ସହଭାଗିତା ଅଞ୍ଚଳରେ ଏକତା ଓ ସଚେତନତାର ନୂତନ ଉଦାହରଣ ସୃଷ୍ଟି କରିଛି, ଯାହା ଆଗାମୀ ଦିନରେ ଆହୁରି ବିଶାଳ ଲୋକସହଭାଗିତା ପାଇଁ ପଥ ପ୍ରଦର୍ଶନ କରୁଛି।ଏହି ଅବସରରେ ଛତ୍ରପୁର ତହସିଲଦାରଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସଂଯୁକ୍ତ ଦାବିପତ୍ର (ମେମୋରାଣ୍ଡମ) ପ୍ରେରଣ କରାଯାଇଥିଲା। ଏହି ଦାବିପତ୍ରରେ ଶତାଧିକ ଲୋକଙ୍କ ସହମତି ଓ ହସ୍ତାକ୍ଷର ସଂଗ୍ରହ ହୋଇଥିଲା।
ଅଭିଯାନର ଅଧ୍ୟକ୍ଷ ଭାବେ ନନ୍ଦୀ ମହାରାଜ ଓ ଉପାଧ୍ୟକ୍ଷ ଭାବେ ଗୌମାତାଙ୍କୁ ପ୍ରତୀକ ଭାବେ ଗ୍ରହଣ କରାଯାଇ, ଏହାକୁ ଏକ ଆଧ୍ୟାତ୍ମିକ ଓ ଜାତୀୟ ଆନ୍ଦୋଳନର ରୂପ ଦିଆଯାଇଛି। ଅଭିଯାନର ମୂଳ ଉଦ୍ଦେଶ୍ୟ — ସମଗ୍ର ଭାରତରେ ଗୌମାତାଙ୍କୁ “ରାଷ୍ଟ୍ରମାତା” ଭାବେ ଘୋଷଣା କରିବା ସହ ଗୋବଂଶର ସୁରକ୍ଷାକୁ ଆଇନଗତ ଭାବେ ସୁନିଶ୍ଚିତ କରିବା।ଗୌମାତା ଆମ ସଂସ୍କୃତି, କୃଷି ଓ ପରିବେଶର ଅବିଭାଜ୍ୟ ଅଂଶ ହୋଇଥିବାରୁ, ତାଙ୍କ ସୁରକ୍ଷାକୁ ସମସ୍ତଙ୍କ ସାମୁହିକ ଓ ଜାତୀୟ କର୍ତ୍ତବ୍ୟ ଭାବେ ମନେ କରାଯାଇଛି।ଏହି ଅଭିଯାନକୁ ସମର୍ଥନ କରୁଥିବା ସମସ୍ତ ଗୌଭକ୍ତ, ସାଧୁ-ସନ୍ତ ଓ ସନାତନ ହିନ୍ଦୁ ଭାଇବନ୍ଧୁମାନଙ୍କୁ ଆୟୋଜକମାନଙ୍କ ପକ୍ଷରୁ ହୃଦୟଘନ ଧନ୍ୟବାଦ ଜଣାଯାଇଛି। ଏହି ଅଭିଯାନ ମାଧ୍ୟମରେ ଦେଶବ୍ୟାପୀ ଭାବେ ଗୌମାତାଙ୍କ ସୁରକ୍ଷା ପ୍ରତି ଜନଜାଗରଣ ଓ ଏକତାର ନୂତନ ଅଧ୍ୟାୟ ଆରମ୍ଭ ହେବାର ଆଶା ବ୍ୟକ୍ତ କରାଯାଇଛି ।।
chatrapur ru muna behera nka report
