ଚତୁର୍ଥ ଦିନରେ ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ବର: ଦଶ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଡାକ୍ତର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ସ୍ଥଗିତ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ପ୍ରାୟ ସାଢ଼େ ୩ ଘଣ୍ଟା ଆଲୋଚନା କଲା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ଡାକ୍ତରମାନେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ନେଇ ଓମ୍ସା ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଲୋଚନା ସମୟରେ ଓମ୍ସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି। କମିଟିରେ ସ୍ବାସ୍ଥ୍ୟ, ଜିଏ, ଅର୍ଥ, ଆଇନ ସଚିବ ସ୍ଥାନିତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ।ସୂଚନାଯୋଗ୍ୟ, ବିଭିନ୍ନ ପ୍ରସଙ୍ଗ ଉପରେ ଦାବି କରି ଡାକ୍ତରମାନେ ଗତ ୧ ତାରିଖ ଠାରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ, ସଚିବ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଓମ୍ସା ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା। ସରକାର ପୂର୍ବରୁ ଡାକ୍ତରଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କ କ୍ୟାଡର୍ ପୁନର୍ଗଠନ, ଡିଏସିପି, ସ୍ବତନ୍ତ୍ର ପ୍ରୋତ୍ସାହନ ଭତ୍ତା ଓ ସ୍ଥାନଭିତ୍ତିକ ଭତ୍ତା ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
