ଛାତ୍ର କଂଗ୍ରେସର ଆରଟିଓ ଅଫିସ ସମ୍ମୁଖରେ ବିକ୍ଷୋଭ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ।
କେନ୍ଦୁଝର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାକୁ ଯିବା ବେଳେ ପରିବହନ ଖର୍ଚ୍ଚ କମ କରିବାକୁ ସରକାରୀ ବସ୍ରେ ମାଗଣାରେ ଯିବା ଆସିବା ସୁବିଧା କରିବାକୁ ଦାବି କରାଯାଇଛି। ସେହିପରି ଯେଉଁ ଅଂଚଳରେ ସରକାରୀ ବସ ସେବା ନାହିଁ ସେଠାରେ ଘରୋଇ ଗାଡ଼ିରେ ଛାତ୍ରଛାତ୍ରୀଙ୍କୁ ପରିଚୟ ପତ୍ର ଦେଖି ଅଧା ପଇସା ନେବାକୁ ବ୍ୟବସ୍ଥା ରାଜ୍ୟ ସରକାର କରିବାକୁ ଦାବି କରାଯାଇଛି।
ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ କହିଛନ୍ତି କି ରାଜ୍ୟରେ ଅନେକ ମାଗଣା ସ୍କିମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ଏଣେ ଅର୍ଥଭାବରୁ ଛାତ୍ରଛାତ୍ରୀ ଡ୍ରପ ଆଉଟ ହେଉଛନ୍ତି। ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବଢୁଛି ଏଣେ ପେଟ୍ରୋଲ ଡିଜେଲ ଦର ଲିଟର ପିଛା ଶହେ ପାର କରୁଥିବାରୁ ଯାତ୍ରୀ ପରିବହନ ଭଡା ବଢ଼ି ଚାଲିଛି ଯାହା ଛାତ୍ରଛାତ୍ରୀଙ୍କ ଲାଗି ବୋଝ ଉପରେ ନଳିତା ବିଡା ସଦୃଶ୍ୟ। ତେଣୁ ଛାତ୍ରଛାତ୍ରୀଙ୍କ ମଙ୍ଗଳ ଲାଗି ସରକାର ବ୍ୟବସ୍ଥା କରିବାକୁ ଦାବି ରଖା ଯାଇଛି। ଆଜି ଜିଲ୍ଲା କଂଗ୍ରେସ ଭବନରୁ ଶତାଧିକ ଛାତ୍ର ବିଭିନ୍ନ ନାରା ଦେଇ ବଜାର ପରିକ୍ରମା କରି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସି ବିକ୍ଷୋଭ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ବିନୋଦ ବିହାରୀ ନାୟକ, ସଂଗ୍ରାମ ଦାସ,ସଂଗୀତା ସିଂହ,ନିର୍ମଳ ନାୟକ ଆଦି ଅନେକ କଂଗ୍ରେସ ନେତା ଓ କର୍ମୀ ଏହି ବିକ୍ଷୋଭରେ ଭାଗ ନେଇ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ