ଦର୍ପଣ ସାଗର କୁ ପୁନର୍ଜୀବନ ଦେବା ପାଇଁ ପ୍ରୟାସ,
ଶ୍ରମଦାନ କଲେ ଶହ ଶହ ଲୋକ, ପୁରାତନ ଜଳାଶୟ କୁ ସୁରକ୍ଷା ଦେବା ପାଇଁ ନେଲେ ସାମୁହିକ ଶପଥ
ଦର୍ପଣ ସାଗର ହେଉଛି ଭବାନିପାଟଣା ଅନେକ ଜଳାଶୟ ଭିତରୁ ଏକ ପ୍ରମୁଖ ଜଳ ଉତ୍ସ l ଏହା ଉପରେ ସହରର ୧୫ ହଜାର ରୁ ଅଧିକ ଲୋକ ନିର୍ଭର କରନ୍ତି l ବହୁ ପୂର୍ବରୁ କଳାହାଣ୍ଡି ରାଜାଙ୍କ ଦ୍ଵାରା ନିର୍ମିତ ଏହି ଜଳାଶୟ ଭବାନିପାଟଣା ର ଏକ ପ୍ରମୁଖ ଜୀବନ ରେଖା l ମାତ୍ର ଏହା ଆଜି ମୃତ ହେବାକୁ ବସିଛି l ଏହାର ଶଯ୍ୟl କୁ ଜମି ମାଫିଆ ମାନେ କବଳିତ କରି ସାରିଲେଣି l

ଏହି ପୋଖରୀ ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଜମି ମାଫିଆ ଓ ଦଲାଲ ମାନେ ଏହି ପୋଖରୀ କୁ ଭାଙ୍ଗି ଜମି ରେ ପରିଣତ କରି ବିକ୍ରୀ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଭିନ୍ନ ପର୍ବପର୍ବାଣୀ,ବାହାଘର,ଦଶାହ କାର୍ଯ୍ୟ,ଏମିତିକି କଳାହାଣ୍ଡି ଉତ୍ସବ ସମୟ ରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟ ପାଇଁ ଆସୁଥିବା ଲୋକମାନେ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି ।

ପୂର୍ବରୁ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନ କୁ ଏହି ଜଳାଶୟ କୁ ସୁରକ୍ଷା ଦେବା ପାଇଁ ନିବେଦନ କରିଥିଲେ l ମାତ୍ର ତାହାର ସୁଫଳ ମିଳି ପାରିନାହିଁ l ତେଣୁ ଆଜି ବାଧ୍ୟ ହୋଇ ଶହ ଶହ ସ୍ଥାନୀୟ ବାସିନ୍ଦା ମାନେ ଏକାଠି ହୋଇ ଶ୍ରମଦାନ କରି କଟା ଯାଇଥିବା ଏହାର ହୁଡ଼ା କୁ ମାଟି ପକାଇ ବନ୍ଦ କରିଥିଲେ l ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତି, ରାଜୀବ ଗାନ୍ଧୀ ପଞ୍ଚାୟତି ରଜ ସଂଗଠନ, ଜନ୍ମ ମାଟି ସୁରକ୍ଷା ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ବାସିନ୍ଦା ଓ ଏହି ସଂଗଠନ ର କର୍ମୀ ମାନେ ସକାଳ ୬ ଘଣ୍ଟା ରେ ସେଠାରେ ଏକାଠି ହୋଇ ଶ୍ରମଦାନ କରିଥିଲେ l ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ଜିଲ୍ଲା ଆବାହକ ଜ୍ୟୋସ୍ତ୍ନା ବଗର୍ତ୍ତି, ବେନୁ ଦୁର୍ଗା, ମନ୍ଦାକିନୀ ବଣୁଆ, ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତି ର ସଭାପତି ସନ୍ତୋଷ ଧଙ୍ଗଡା ମାଝୀ, ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତି ର ସଭାପତି ବିଜୟ ସାହୁ ଓ ଆବାହକ ଗିରିଧାରୀ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ଯୋଗେଶ୍ୱରି ଧଙ୍ଗଡା ମାଝି ପ୍ରମୁଖ ଯୋଗ ଦେଇଥିଲେ l ଅପରାହ୍ନ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ଭେଟି ଏହି ଜଳାଶୟ ସମେତ ସହରର ଅନ୍ୟ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ଦାବି କରିଥିଲେ l
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
