November 28, 2026
Home » ଦୃଷ୍ଟିବାଧିତ ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି

ଦୃଷ୍ଟିବାଧିତ ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି

0
WhatsApp Image 2026-11-26 at 7.21.12 PM

ଶୁଦ୍ଧିକ୍ରିୟା, ପିଲାଙ୍କ ପାଠପଢ଼ା ଓ ଜୀବିକା ପାଇଁ ସହାୟତା ପ୍ରଦାନ

ମାର୍ଶାଘାଇ,: ମାନବିକତା ଓ ସମାଜସେବାର ଏକ ଉଦାହରଣ ସୃଷ୍ଟି କରି ଦୃଷ୍ଟିବାଧିତ ଓ ଅସହାୟ ପରିବାରର ସହାୟତା ପାଇଁ ଆଗେଇ ଆସିଛି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍ । ମାର୍ଶାଘାଇ ବ୍ଲକ୍ ପରକୁଳା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମର ଏକ ଅସହାୟ ପରିବାରକୁ ସମିତିର ମାର୍ଶାଘାଇ ଶାଖା ପକ୍ଷରୁ ଗୁରୁବାର ଆର୍ଥିକ ସହାୟତା ପ୍ରଦାନ ସହ ପିଲାଙ୍କ ଶିକ୍ଷା ଓ ପରିବାରର ଗୁଜୁରାଣ ପାଇଁ ସହଯୋଗର ହାତ ବଢ଼ାଯାଇଛି।ସମିତିର ସଭାପତି ତଥା ସମାଜସେବୀ ପ୍ରମୋଦ ସାହୁ ଗ୍ରାମରେ ପହଞ୍ଚି ଅସହାୟ ଭାଗବତ ଦାସଙ୍କୁ ଭେଟିବା ସହ ପରିବାରର ଦୁଃଖଦ ପରିସ୍ଥିତିରେ ସମବେଦନା ଜଣାଇଥିଲେ। ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନଗଦ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ପରିବାରର ଭବିଷ୍ୟତ ପାଇଁ ବିଭିନ୍ନ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।ସୂଚନା ଅନୁଯାୟୀ, ଦୁର୍ଭାଗ୍ୟବଶତଃ ଦୁଇ ପିଢ଼ି ଧରି ଦୃଷ୍ଟିବାଧିତ ଏହି ପରିବାରର ଦୀନବନ୍ଧୁ ଦାସ ଓ ତାଙ୍କ ପୁଅ ଭାଗବତ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ ଜୀବନ ବିତାଉଥିଲେ। ଏହା ମଧ୍ୟରେ କିଡ୍‌ନୀ ରୋଗରେ ପୀଡ଼ିତ ବୋହୂ ମାନସୀଙ୍କର ଉପଯୁକ୍ତ ଚିକିତ୍ସା ଅଭାବରୁ ସାତ ମାସ ପୂର୍ବେ ମୃତ୍ୟୁ ହୋଇଥିଲା। ଏହି ଦୁଃଖରୁ ପରିବାର ମୁକୁଳି ନ ଥିବା ବେଳେ ଗତ ନଅ ଦିନ ତଳେ ଦୀନବନ୍ଧୁଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଦୃଷ୍ଟିବାଧିତ ଭାଗବତ ଦୁଇ ପିଲାଙ୍କୁ ନେଇ ଅସହାୟ ହୋଇପଡ଼ିଥିଲେ। ଏପରିକି ବାପାଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ପାଇଁ ମଧ୍ୟ ତାଙ୍କ ନିକଟରେ ଆବଶ୍ୟକ ଅର୍ଥ ନ ଥିଲା।ଅନ୍ୟପକ୍ଷରେ ଆର୍ଥିକ ଅନଟନ ଯୋଗୁଁ ପୁଅ ସୌମ୍ୟ ଓ ଝିଅ ଅଭିଲିପ୍ସାଙ୍କ ପାଠପଢ଼ା ମଧ୍ୟ ବନ୍ଦ ହେବାକୁ ବସିଥିଲା। ଏଭଳି ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ସମିତିର ସଭାପତି ଶ୍ରୀ ସାହୁ ପରିବାର ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଥିଲେ।ପରିବାରର ନିୟମିତ ଗୁଜୁରାଣ ପାଇଁ ସମିତି ପକ୍ଷରୁ ‘ ଜ୍ଞାନଦେବୀ ଗୁଜୁରାଣ ସହାୟତା’ ଯୋଜନାରେ ମାସିକ ଏକ ହଜାର ଟଙ୍କା ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏଥିସହ ଝିଅ ଅଭିଲିପ୍ସାଙ୍କୁ ନିକଟସ୍ଥ ହାଇସ୍କୁଲରେ ପୁନଃ ନାମଲେଖା କରାଇବା ସହ ଯାତାୟାତ ପାଇଁ ସାଇକେଲ ଯୋଗାଇଦେବା ଏବଂ ପୁଅ ସୌମ୍ୟଙ୍କୁ ଶିଳ୍ପ ତାଲିମ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରିବାକୁ ସୁଯୋଗ ଦେବା ପାଇଁ ସମିତି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।ଏହି ମହତ୍ କାର୍ଯ୍ୟ ସମୟରେ ଗ୍ରାମବାସୀଙ୍କ ସମେତ ସମିତିର ମାର୍ଶାଘାଇ ଶାଖା ପରିଚାଳକ ଦେବୀ ପ୍ରସାଦ ପରିଡ଼ା ଓ ଦୈନିକ ଜମା ସଂଗ୍ରହକlରୀ ରଞ୍ଜନ ପରିଡ଼ା, ଜ୍ୟୋତି ପ୍ରକାଶ ପରିଡ଼ା ଓ ନଗେନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ସମିତିର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *