ଦେଶୀ ଶସ୍ୟ ଓ ପାରମ୍ପରିକ ଖାଦ୍ୟର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ।
ବୈତରଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚିତ୍ରାଙ୍କନ, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସହ ଦେଶୀ ମଞ୍ଜି ପ୍ରଦର୍ଶନୀ।
କେନ୍ଦୁଝର,:ଆଧୁନିକ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସର ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଏବଂ ଦେଶୀ ଶସ୍ୟର ବ୍ୟବହାର ଧୀରେ ଧୀରେ ହ୍ରାସ ପାଉଛି। ଏହି ଅମୂଲ୍ୟ କୃଷି ପରମ୍ପରାର ସୁରକ୍ଷା ସହ ନୂତନ ପିଢ଼ିଙ୍କ ମଧ୍ୟରେ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଂଶପାଳ ବ୍ଲକସ୍ଥିତ ସରକାରୀ ବୈତରଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କେନ୍ଦୁଝର କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶୀ ଶସ୍ୟର ପୁଷ୍ଟିକର ଗୁଣ, ପାରମ୍ପରିକ ଖାଦ୍ୟର ଉପାଦେୟତା, ସ୍ଥାନୀୟ କୃଷି ପରମ୍ପରା ଏବଂ ଜୈବ ବିବିଧତାର ସଂରକ୍ଷଣ ଉପରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଯାଇଥିଲା। ଏଥିରେ କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝରର ବୈଜ୍ଞାନିକ ସିପ୍ରା ଦାସ, ବାଂଶପାଳ ବ୍ଲକ୍ କୃଷି ଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର, କେନ୍ଦୁଝର ସଦର ବ୍ଲକ୍ କୃଷି ଅଧିକାରୀ ସୁଶାନ୍ତ ପଣ୍ଡା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇଥିଲେ। ସେହିପରି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ରଞ୍ଜୀତା ନାଏକ, ସହ-ସଂଯୋଜକ ପ୍ରିୟବ୍ରତ ଆରୁକ ଏବଂ ଶୁଭାଶିଷ ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହ ପ୍ରାୟ ୩୦ ପ୍ରକାରର ପାରମ୍ପରିକ ମଞ୍ଜି ଓ ଦେଶୀ କନ୍ଦମୂଳର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। କବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହି ସଚେତନତା ଶିବିରରେ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସିଆରପି ପଦ୍ମଭୁଜ ନାଏକ, କାଶୀନାଥ ବେହେରା, କାହ୍ନୁ ଦେହୁରୀ ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ।
ପାରମ୍ପରିକ ଖାଦ୍ୟ ଓ ଦେଶୀ ଶସ୍ୟ କେବଳ ଆମର ଖାଦ୍ୟ ସଂସ୍କୃତିର ପରିଚୟ ନୁହେଁ, ବରଂ ଏହା ଆମ କୃଷି ପରମ୍ପରା ଓ ପ୍ରକୃତି ସହ ଜଡ଼ିତ ଜୀବନଧାରାର ଅମୂଲ୍ୟ ସମ୍ପଦ। ଏହାର ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କ ଭଳି ନୂତନ ପିଢ଼ିଙ୍କୁ ସଚେତନ ଓ ଅଂଶୀଦାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
