ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ନୟାଗଡ଼ରେ ପକ୍କାଘର ପାଇବେ ୩୮,୮୮୪ ପରିବାର
ଓଡ଼ିଶାକୁ ମିଳିବ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗୃହ ନିର୍ମାଣ ଲକ୍ଷ୍ୟ; ଜିଲ୍ଲାୱାରୀ ଆବଣ୍ଟନକୁ ଅପେକ୍ଷା ।
ନୟାଗଡ଼ ତା ୧୪.୧୧.୨୦୨୬ ( ଇପିଏ ) ନୟାଗଡ ଗୃହହୀନ ପରିବାରଙ୍କ ପକ୍କା ଘର ସ୍ବପ୍ନକୁ ସାକାର କରିବା ଦିଗରେ ଆଉ ଏକ ଆଶାଜନକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାକୁ ୪ ଲକ୍ଷରୁ ଊର୍ଦ୍ଧ୍ବ ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ମିଳିବାକୁ ଯାଉଛି। ଏହି ଖବର ରାଜ୍ୟର ହଜାର ହଜାର ଗୃହହୀନ ଓ ଆର୍ଥିକ ଅନଗ୍ରସର ପରିବାରଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବାବେଳେ ନୟାଗଡ଼ ଜିଲ୍ଲାର ୩୮,୮୮୪ଟି ପରିବାର ମଧ୍ୟ ନୂତନ ଆବାସ ଲକ୍ଷ୍ୟକୁ ଆଶାବାଦୀ ଦୃଷ୍ଟିରେ ଅପେକ୍ଷା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ବଣ୍ଟନ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ପାଇଁ ନୟାଗଡ଼ ଜିଲ୍ଲା ପରିଷଦ ପରିସରରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ (ଭା. ପ୍ର. ସେ.), ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ, ଅନ୍ୟାନ୍ୟ ଜନପ୍ରତିନିଧ୍, ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଗ୍ରାମ ପଂଚାୟତରୁ ଆସିଥିବା ୩୦୦ରୁ ସାଧାରଣ ଜନତା ଯୋଗ ଦେଇଥିଲେ। । ଇତ୍ୟଅବସରରେ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ସିଧାପ୍ରସାରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଓଡ଼ିଶାକୁ ୪ ଲକ୍ଷରୁ ଊର୍ଦ୍ଧ୍ବ ଗୃହ ନିର୍ମାଣ ଲକ୍ଷ୍ୟ ମିଳିଥିବାବେଳେ ଏହାର ଜିଲ୍ଲାୱାରୀ ବଣ୍ଟନ ତାଲିକା ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ, ନୟାଗଡ଼ ଜିଲ୍ଲାରେ ପକ୍କାଘର ପାଇବା ଆଶାରେ ଥିବା ୩୮,୮୮୪ଟି ପରିବାରଙ୍କ ପାଇଁ ଏହି ନୂତନ ଲକ୍ଷ୍ୟ ଏକ ଆଶାର କିରଣ ହୋଇଛି। ଜିଲ୍ଲାର ଗୃହ ଅପେକ୍ଷା ତାଲିକାରେ ଥିବା ଏହି ପରିବାରମାନଙ୍କ ମଧ୍ୟରୁ ସରକାରୀ ନିୟମାବଳୀ ଓ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ପରିବାରଙ୍କୁ ନୂତନ ଆବାସ ଲକ୍ଷ୍ୟ ଅନୁଯାୟୀ ଗୃହ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟର ନିର୍ଦ୍ଦେଶ ଓ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ସଫ୍ଟୱେୟାର୍ ମାଧ୍ୟମରେ ପ୍ରାଥମିକତା ଭିଭିରେ ଗୃହ ଆବଣ୍ଟନ କରାଯିବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାଉତ କହିଛନ୍ତି ।
ପକ୍କାଘର କେବଳ ଏକ ଆବାସ ନୁହେଁ, ଏହା ଗୋଟିଏ ପରିବାରର ସୁରକ୍ଷା, ସମ୍ମାନ ଓ ଉନ୍ନତ ଜୀବନଯାପନର ଆଧାର। ତେଣୁ ଓଡ଼ିଶାକୁ ମିଳିବାକୁ ଥିବା ନୂତନ ଗୃହ ନିର୍ମାଣ ଲକ୍ଷ୍ୟ ନୟାଗଡ଼ ଜିଲ୍ଲାର ଯୋଗ୍ୟ ହିତାଧ୍ୟାକାରୀଙ୍କ ଜୀବନରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
