May 23, 2026
Home »   ନୟାଗଡ଼ରେ ବିଦ୍ୟୁତ ସମସ୍ୟା ଗୁରୁତର           

  ନୟାଗଡ଼ରେ ବିଦ୍ୟୁତ ସମସ୍ୟା ଗୁରୁତର           

0
unnamed
              ନିଘୋଡ଼ ନିଦରେ ଟାଟା ପାୱାର     ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନର ଚେତାବନୀ ।
ନୟାଗଡ଼ :ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଅଘୋଷିତ ଓ ତୁହାକୁ ତୁହା ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ସମସ୍ୟା ଗ୍ରୀଷ୍ମର ପ୍ରକୋପକୁ ଦ୍ୱିଗୁଣିତ କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବିଲ୍‌ ଆଦାୟ ପାଇଁ ଟାଟା ପାୱାର କର୍ତ୍ତୃପକ୍ଷ ସଦାସର୍ବଦା ବ୍ୟସ୍ତ ବିବ୍ରତ ରହୁଥିବା ବେଳେ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ଶିଶୁ, ବୃଦ୍ଧ ଓ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅବହେଳା ଏଭଳି ସ୍ତରକୁ ଯାଇଛି ଯେ, ଗତକାଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମଧ୍ୟ ବିଦ୍ୟୁତ ବିଭାଗର କୌଣସି ଦାୟିତ୍ୱବାନ ଅଧିକାରୀ ଉପସ୍ଥିତ ନଥିଲେ। ଏହା ବିଭାଗର ବେପରୁଆ କାର୍ଯ୍ୟଶୈଳୀକୁ ସ୍ପଷ୍ଟ କରୁଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
      ଅନ୍ୟ ପକ୍ଷରେ ବିଦ୍ୟୁତ କାଟ ଜନିତ ଜନ-ଅସନ୍ତୋଷକୁ ନେଇ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି ବିଦ୍ୟୁତ ସରବରାହ ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ସାମ୍ବାଦିକ ସଂଘ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ତଥା ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଲୋକନାଥ ମିଶ୍ର,ଗୋକୁଳ କୁମାର ଷଡ଼ଙ୍ଗୀ, ବିକ୍ରମ ସ୍ୱାଇଁ, ସୁଧାକର ମିଶ୍ର, ବିଭୂତି ପଟ୍ଟନାୟକ, ଦୀପକ ଦାସ, ରସାନନ୍ଦ ସ୍ୱାଇଁ, ଜିତୁନ ମହାପାତ୍ର ଓ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *