ବଡ଼ବିଲ ସଙ୍କୁଳରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା : ନୂତନ ଶିକ୍ଷାନୀତି ଉପରେ ୧୪୪ ଶିକ୍ଷକଙ୍କୁ ପ୍ରଶିକ୍ଷଣ
ଯୋଡ଼ା : କେନ୍ଦୁଝର ଜିଲ୍ଲାର ବଡ଼ବିଲ ସଙ୍କୁଳ ଅନ୍ତର୍ଗତ ବିଭିନ୍ନ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କ ପାଇଁ ଏକ ବିଶାଳ ସାମୂହିକ କାର୍ଯ୍ୟଶାଳାର ଆୟୋଜନ ସଫଳତାର ସହିତ ସମାପ୍ତ ହୋଇଛି। ତାରିଖ ୨୭-୦୪-୨୬ (ସୋମବାର) ଠାରୁ ୩୦-୦୪-୨୬ (ଗୁରୁବାର) ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିଥିବା ଏହି କାର୍ଯ୍ୟଶାଳା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ପରିସରରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟଶାଳାରେ ବଡ଼ବିଲ ସଙ୍କୁଳ ଅଧୀନରେ ଥିବା ବଡ଼ବିଲ, ବଲାଣୀ, ଯୋଡ଼ା, ଭହ୍ରାସାହି, କାଟେସାହି, ବାମେବାରୀ ଓ ବିଲେଇପଦା ଶିଶୁ ବିଦ୍ୟାମନ୍ଦିରରୁ ମୋଟ ୧୪୪ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ଅଂଶଗ୍ରହଣ କରିଥିଲେ। ଶିଶୁ ବାଟିକା ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଆଧାର, ପ୍ରସ୍ତୁତି ଓ ମଧ୍ୟ ସ୍ତରରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ଏଥିରେ ସକ୍ରିୟ ଭାବେ ଯୋଗଦେଇଥିଲେ। ଉଦ୍ଘାଟନ ଅବସରରେ କେନ୍ଦୁଝର ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ପାଢୀ, ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ଓ ବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଉପସ୍ଥିତ ରହି ସନ୍ଧ୍ୟା ବନ୍ଦନା ସହ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଏବଂ ସଙ୍କୁଳ ସଂଯୋଜକ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟମାନେ ଭିନ୍ନ-ଭିନ୍ନ ଭୂମିକା ନିଭାଇଥିଲେ। ବାମେବାରୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରାମଚନ୍ଦ୍ର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଯୋଡ଼ା ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭଗବାନ ବର୍ଦ୍ଧନ ଧନ୍ୟବାଦ ଜ୍ଞାପନ କରିଥିଲେ। କାଟେସାହିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରେଶ କୁମାର ମହାନ୍ତ ନୂତନ ଶିକ୍ଷାନୀତିରେ ‘ପଞ୍ଚକୋଷ ବିକାଶ’ ବିଷୟରେ ଗଭୀର ଆଲୋଚନା କରିଥିଲେ।


ତିନି ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସରକାରଙ୍କ ନୂତନ ଶିକ୍ଷାନୀତିର ପ୍ରୟୋଗ, ପାଠ୍ୟ ଯୋଜନା ପ୍ରସ୍ତୁତି, ଓ ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଆଚାର୍ଯ୍ୟମାନଙ୍କୁ ପ୍ରାୟୋଗିକ ଓ ଧାରଣାତ୍ମକ ଦୁଇପ୍ରକାରର ପ୍ରଶିକ୍ଷଣ ଦେଇ ଶିକ୍ଷାର ଗୁଣତ୍ୱ ବୃଦ୍ଧି ପାଇଁ ପ୍ରେରିତ କରାଯାଇଥିଲା। ସମାରୋପ ଉତ୍ସବରେ ଭହ୍ରାସାହି ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୃଷ୍ଣଚନ୍ଦ୍ର ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ବଲାଣୀ ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବନମାଳୀ ମହାକୁଡ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ଶିକ୍ଷାର ଆବଶ୍ୟକତା ଉପରେ ଉଦ୍ବୋଧନ ଦେଇଥିଲେ। ବିଲେଇପଦା ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଲୀନା ମଲ୍ଲ କଳାଂଶ ପରିଚାଳନାରେ ସହଯୋଗ କରିଥିଲେ। ଏହି ସାମୂହିକ କାର୍ଯ୍ୟଶାଳା ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବା ସହ ଆଧୁନିକ ଓ ସଂସ୍କୃତିମୂଳକ ଶିକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ କରିବାରେ ମାର୍ଗଦର୍ଶକ ଭୂମିକା ନିଭାଇଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
