ବନମାଳୀ ମେହେର ପାଇବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବନମାଳୀ ମେହେର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା,ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ,ସାମାଜିକ ସଚେତନତା ଏବଂ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଆସନ୍ତା ସେପ୍ଟେମ୍ବର ୫ ତାରିଖ ପବିତ୍ର ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ବନମାଳୀ ମେହେର ପୁରସ୍କାର ରାଶି ସ୍ୱରୂପ ୪୦,୦୦୦ (ଚାଳିଶ ହଜାର) ଟଙ୍କା ଓ ମାନପତ୍ର ଗ୍ରହଣ କରିବେ।
ଶ୍ରୀ ମେହେର ଜଣେ ଉତ୍ସାହୀ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ଶିକ୍ଷାଦାନ ସହିତ ଜୁନିୟର ରେଡ୍କ୍ରସ୍, ସ୍କାଉଟ୍ ଓ ଗାଇଡ୍, ଛାତ୍ର ପୋଲିସ୍ କ୍ୟାଡେଟ୍, ବିପର୍ଯ୍ୟୟ ପରିଚାଳନା, ଆଇନ ସାକ୍ଷରତା ଓ ପରିବେଶ ସଚେତନତା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇଆସୁଛନ୍ତି। ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କର ନୈତିକ, ସାମାଜିକ ଓ ମାନବିକ ମୂଲ୍ୟବୋଧର ବିକାଶ ପାଇଁ ମଧ୍ୟ ସେ ନିରନ୍ତର ପ୍ରୟାସ କରିଆସୁଛନ୍ତି।
ରାଜ୍ୟସ୍ତରୀୟ ଏହି ସମ୍ମାନ ପାଇଁ ବନମାଳୀ ମେହେର ମନୋନୀତ ହେବା ଖବରରେ କଣ୍ଟାମାଳ ଅଞ୍ଚଳ ସମେତ ବିଦ୍ୟାଳୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁମାନେ ବନମାଳୀ ମେହେରଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସଫଳତା ପାଇଁ ଗର୍ବିତ ହୋଇଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
