August 31, 2026
Home »  ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ

 ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ

0
WhatsApp Image 2026-08-30 at 2.03.08 PM

ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ବରଗଡ଼ ଜିଲ୍ଲାର ନୋଡାଲ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥା ପରିଦର୍ଶନ କରି ସେଗୁଡ଼ିକର କାର୍ଯ୍ୟକାରିତା, ଭିତ୍ତିଭୂମି ଓ ସେବା ପ୍ରଦାନ ବ୍ୟବସ୍ଥା ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ଥିଲେ।

ଡ. ଉପାଧ୍ୟାୟ ଅଡ଼ଗାଁ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ରର ପରିଚ୍ଛନ୍ନତା, ରୋଷେଇ ଘର ଓ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥା ସମୀକ୍ଷା କରିଥିଲେ। ଏହାପରେ ସେ କୁରୁଆଁ ସ୍ଥିତ ୫,୦୦୦ ମେଟ୍ରିକ୍‌ ଟନ୍‌ କ୍ଷମତାବିଶିଷ୍ଟ ଶୀତଳ ଭଣ୍ଡାର ପରିଦର୍ଶନ କରି ବ୍ୟବସ୍ତାର ତଦାରଖ କରିବା ସହ ଫସଲ ବିବିଧୀକରଣ ଉପରେ ଗୁରୁତ୍ୱ ଦେଇ ଧାନ ସହ ଆଳୁ ଓ ଅନ୍ୟାନ୍ୟ ପନିପରିବା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କୃଷକ ଗୋଷ୍ଠୀ ଗଠନ କରି ସଚେତନତା ଓ ପରାମର୍ଶ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ ଶୀତଳ ଭଣ୍ଡାର ମାଲିକଙ୍କୁ ପରାମର୍ଶ ଦେଇଥିଲେ ।

ଏହପରେ ଦେବଗଡ଼ ଟିକ୍ରା ସରକାରୀ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଶିକ୍ଷାଦାନ ବ୍ୟବସ୍ଥା ଓ ବିଦ୍ୟାଳୟର ଭିତ୍ତିଭୂମି ସମ୍ପର୍କରେ ଅବଗତ ହୋଇଥିଲେ। ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ପରିଦର୍ଶନ କରି ସେ ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାର, ଇ-ଲାବୋରେଟୋରୀ, ରୋବୋଟିକ୍ସ ଲାବ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଅନ୍ୟାନ୍ୟ ସୁବିଧା ପରିଦର୍ଶନ କରି ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ ଓ ସର୍ବୋତ୍ତମ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।


ଏହାପରେ ବରଗଡ଼ ନିଶାମଣୀ ପଡିଆରେ ନିର୍ମାଣଧୀନ ଧନୁଯାତ୍ରା ରଙ୍ଗମହଲ ନିର୍ମାଣସ୍ଥଳୀ ପରିଦର୍ଶନ ସମୟରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଏଠାରେ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାର ସହଯୋଗରେ ସ୍ଥାନୀୟ କଳାକାରମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଇଁ ଏକ କାଳକେନ୍ଦ୍ର- ଧନୁଯାତ୍ରା ସ୍କୁଲ ଅଫ ଡ୍ରାମା ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରେ ବର୍ଦ୍ଦୋଲି ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ସହ ଚାଲିଥିବା ଅତିରିକ୍ତ ଶ୍ରେଣୀଗୃହ ଓ ହଷ୍ଟେଲ୍‌ ଡାଇନିଂ ହଲ୍‌ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ରୋଷେଇ ଘର ଓ ହଷ୍ଟେଲ୍‌ର ପରିଚ୍ଛନ୍ନତା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଥିଲା। ଏତଦବ୍ୟତୀତ ଭଟଲିସ୍ଥିତ ଗ୍ରାଉଣ୍ଡନଟ୍‌ ପ୍ରୋସେସିଂ ୟୁନିଟ୍‌ ପରିଦର୍ଶନ ସମୟରେ ସେ ଉଦ୍ୟୋଗୀଙ୍କ ସହ ଆଲୋଚନା କରି ଯନ୍ତ୍ରପାତି, ଉତ୍ପାଦନ ଓ ବିପଣନ ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ।ଏହାପରେ ସେ ବିକାଶ ହସ୍ପିଟାଲ୍‌ ପରିଦର୍ଶନ କରି ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବରଗଡ଼ସ୍ଥିତ ଜିନ୍ଦଲ ଇଟା ୟୁନିଟ୍‌ ପରିଦର୍ଶନ କରି ଉତ୍ପାଦନ, କଞ୍ଚାମାଲ ସଂଗ୍ରହ ଓ ଉତ୍ପାଦିତ ସାମଗ୍ରୀର ବିପଣନ ସମ୍ପର୍କରେ ଆଲୋଚନା କରିଥିଲେ।
ପରିଦର୍ଶନ ସମୟରେ ଡ. ଉପାଧ୍ୟାୟ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ସର୍ବସାଧାରଣ ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ, ଫସଲ ବିବିଧୀକରଣ, ଜୀବିକା ସୁଯୋଗ ସୃଷ୍ଟି ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *