August 31, 2026
Home » ବାହାଘର ପୂର୍ବରୁ ଉଜୁଡ଼ିଗଲା ସଂସାର ? ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବାହାଘର ପୂର୍ବରୁ ଉଜୁଡ଼ିଗଲା ସଂସାର ? ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

0
WhatsApp Image 2026-08-30 at 10.57.02 PM

 

​କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ପୁଣି ଏକ ହାତୀ ଆକ୍ରମଣରେ ଯୁବକଙ୍କ ଜୀବନ ଯିବା ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ବଡ଼ପଶି ଗ୍ରାମର ନବଘନ ନାୟକ (୩୩)ଙ୍କୁ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଖିରେଇଟାଙ୍ଗିରି ଟୋଲଗେଟ୍ ପାଖ ଦୁଧିଆଚୁଆ ନିକଟରେ ଏକ ଦନ୍ତା ହାତୀ ମାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଦାରୁଣ ମୃତ୍ୟୁ ଘଟିଛି। ​ସୂଚନା ଅନୁଯାୟୀ, ଗତକାଲି ରାତି ୮ଟା ସମୟରେ ନବଘନ ନିଜ ସାଙ୍ଗମାନଙ୍କ ସହ ଗାଁ ନିକଟକୁ ଆସିଥିବା ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ହାତୀ ହାବୁଡ଼ରେ ପଡ଼ିଯିବାରୁ ସେ ପ୍ରାଣ ହରାଇଥିଲେ। ଆଗକୁ ତାଙ୍କର ବାହାଘର ହୋଇଥାନ୍ତା, ହେଲେ ବିଧିର ବିଧାନ ଆଜି ସବୁକିଛି ଉଜାଡ଼ି ଦେଇଛି। ଘରେ ବୃଦ୍ଧା ମା’ କୋଇଲ ନାୟକ ଓ ବଡ଼ ଭାଇଙ୍କ ସ୍ତ୍ରୀ ରହୁଥିବା ବେଳେ ବଡ଼ ଭାଇ ଓଡ଼ିଶା ବାହାରେ ଦାଦନ ଖଟୁଛନ୍ତି।

ପରିବାରର ସମସ୍ତ ଦାୟିତ୍ୱ ତୁଲାଉଥିବା ରୋଜଗାରିଆ ପୁଅକୁ ହରାଇ ମା’ ଆଜି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆଜି ଅପରାହ୍ନ ୩ଟା ସମୟରେ ବ୍ୟବଚ୍ଛେଦ ପରେ ନବଘନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।କାନ୍ଦବୋବାଳିରେ ଗ୍ରାମଟି ଫାଟି ପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ଗାଁ ନୀରବ ଓ ଶୂନ୍ୟପଡ଼ି ଯାଇଥିଲା। ଖବର ପାଇ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ, କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ତଥା ‘ଗଛ ମଣିଷ’ ଭାବେ ପରିଚିତ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଶୋକସନ୍ତପ୍ତ ପରିବାରଙ୍କୁ ଭେଟି ଆଶ୍ୱାସନା ଦେଇଥିଲେ। ସେ ମୃତକଙ୍କ ମା’ଙ୍କୁ ଧୈର୍ଯ୍ୟ ଧରିବାକୁ ବୁଝାଇବା ସହ ସରକାରୀ ନିୟମାନୁସାରେ ମିଳୁଥିବା ସମସ୍ତ ଆର୍ଥିକ ସହାୟତା ରାଶି ଯଥାଶୀଘ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଏଭଳି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସବୁବେଳେ ହାତୀଙ୍କଠାରୁ ଅତି କମ୍‌ରେ ୨୦ ମିଟର ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *