ବଳିଆପଣ୍ଡାରେ ଲଂକାକାଣ୍ଡ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର
ବଳିଆପଣ୍ଡାରେ ଲଂକାକାଣ୍ଡ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କଟକ ସ୍ଥାନାନ୍ତର।
ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ବୁଢ଼ୀ ମା’ ସାହିର ମାନସ ସେନାପତି ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଚାଲିଆସୁଥିବା ଶତ୍ରୁତାକୁ ନେଇ ବଳିଆପଣ୍ଡା ନିକଟରେ ମାନସଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ରକ୍ତାକ୍ତ କରିପକାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ (SCB)କୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
