ବହୁ ପ୍ରତୀକ୍ଷିତ ମୁଗ ଓ ବିରି ମଣ୍ଡି ଉଦଘାଟିତ

ଆଳି – ଆଳି ଓ ରାଜକନିକା ବ୍ଲକ ଦ୍ୱୟ କୃଷି ପ୍ରଧାନ ବ୍ଲକ ଭାବେ ବିବେଚିତ l ପ୍ରାକୃତିକ ବିପର୍ଯ୍ୟୟ ରେ ପ୍ରପୀଡିତ ଆଳିର କୃଷକ ସାଧାରଣତଃ ଚାଷ ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି l ଜଳସେଚନର ଅଭାବ ଯୋଗୁଁ ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ଚାଷ କରୁଥିବା କୃଷକ ମାନେ ବିଭିନ୍ନ ସମୟରେ ପ୍ରାକୃତିକ ବିତ୍ପାତ ର ଶିକାର ହୋଇ ଥାନ୍ତି l ସ୍ଵଳ୍ପ ବୃଷ୍ଟି ଯୋଗୁଁ ମରୁଡିର ସାମ୍ନା କରୁଥିବା ବେଳେ ଜଳ ନିଷ୍କାସନ ର ସୁବ୍ୟବସ୍ଥା ନଥିବାରୁ ବହୁ ବୃଷ୍ଟିପାତ ଫଳରେ ଜଳ ଜମିରହି ଫସଲ ନଷ୍ଟ ହୋଇଯାଏ l ସମବାୟ ସମିତି ରୁଣ ନେଇଥିବା ଚାଷି ଓ ଅଣ ଚାଷୀ ମାନେ ଇନସ୍ୟୁରାନ୍ସ ହାତେଇ ନେଉଥିବା ବେଳେ ପ୍ରକୃତ ଗରିବ ଚାଷୀମାନେ ଇନସ୍ୟୁରାନ୍ସ ପାଇବାରୁ ବଞ୍ଚିତ ହୋଇଥାନ୍ତି l ତେଣୁ ଚାଷକାର୍ଯ୍ୟ ରୁ ଚାଷୀମାନେ ମୁହଁ ଫେରାଉଛନ୍ତି l କୃଷି ବିଭାଗ କାଗଜପତ୍ର ରେ ଚାଲିଛି l ଅଣଧାନ ଫସଲ ପାଇଁ ପ୍ରୋତ୍ସାହନ ର ଅଭାବ ଯୋଗୁଁ ଚାଷୀ ନିରାଶ l ଯେଉଁ ଚାଷୀ ଧାର କରଜ କରି ମୁଗ ବିରି ଇତ୍ୟାଦି ଚାଷ କରନ୍ତି ଅଭାବୀ ବିକ୍ରି ଯୋଗୁଁ ବହୁ କ୍ଷତି ସହିବାକୁ ବାଧ୍ୟ ହୁଅନ୍ତି l ଦୀର୍ଘବର୍ଷ ହେବ ସରକାର ଧାନ କୁ ନ୍ୟୁନତମ ସହାୟକ ମୂଲ୍ୟରେ ସମବାୟ ସମିତି ମାଧ୍ୟମରେ କିଣୁଥିବା ବେଳେ ମୁଗ ବିରି ପ୍ରତି ଧ୍ୟାନ କେନ୍ଦ୍ରିତ କରି ପାରୁନାହାନ୍ତି l ରାଜନୈତିକ ଇଚ୍ଛାଶକ୍ତି ଏବଂ ସରକାରୀ ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଚାଷୀମାନେ ତାଙ୍କ ଉତ୍ପାଦିତ ଡାଲି ଜାତୀୟ ଶଷ୍ୟ ର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି l ଏହି ସମସ୍ୟାକୁ ଅନୁଭବ କରି ଆଳି ରେ ନବ ଗଠିତ କୃଷକ ସଂଗଠନ ଆଳି ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ନିଜ ପ୍ରୟାସରେ ଆଳି ରାଜକନିକା ତଥା କେନ୍ଦ୍ରାପଡା ଜିଲ୍ଲାର ମୁଗ, ବିରି, ଚିନାବାଦାମ ତଥା ଅନ୍ୟ ଅଣଧାନ ଫସଲକୁ ସରକାରୀ ନ୍ୟୁନତମ ସହାୟକ ମୂଲ୍ୟରେ କିଣିବା ପାଇଁ ଓଡିଶା ସରକାରଙ୍କ କୃଷି ବିଭାଗର ମାର୍କଫେଡ ସହିତ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି l ଏବେଠାରୁ ଆସନ୍ତା ଅଗଷ୍ଟ ମାସ ପନ୍ଦର ତାରିଖ ପର୍ଯ୍ୟନ୍ତ ମୁଗ ଓ ବିରି ମଣ୍ଡି ଖୋଲା ରଖି ସରକାରୀ ମୂଲ୍ୟରେ କମ୍ପାନୀ ତରଫରୁ ଡାଲି ଓ ତୈଳବୀଜ ଜାତୀୟ ଫସଲ କିଣାଯିବ l ଏହାପରେ କମ୍ପାନୀ ତରଫରୁ ଚାଷିମାନଙ୍କୁ ସୁଲଭ ସରକାରୀ ଧାର୍ଯ୍ଯ ମୂଲ୍ୟରେ ସାର ଓ ବିହନ ଯୋଗାଣ ଅବ୍ୟାହତ ରହିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ମହାନ୍ତି ସୂଚନା ଦେଇଛନ୍ତି l ନିଜର ଉତ୍ପାଦିତ ଶଷ୍ୟ କୁ କମ ମୂଲ୍ୟରେ ବେପାରୀଙ୍କୁ ବିକ୍ରି କରିବା ପରିବର୍ତ୍ତେ ସରକାରୀ ସହାୟତାର ଏହି ସୁଯୋଗକୁ ସଦୁପଯୋଗ କରି ନିଜର ବଳିଥିବା ମୁଗ କୁଇଣ୍ଟାଲ ପ୍ରତି ମୂଲ୍ୟ 8682 ଟଙ୍କା, ବିରି କୁଇଣ୍ଟାଲ ପ୍ରତି ମୂଲ୍ୟ 7400 ଟଙ୍କା, ଚିନାବାଦାମ ମୂଲ୍ୟ 6783 ଟଙ୍କା ଓ ସୂର୍ଯ୍ୟମୁଖୀ କୁଇଣ୍ଟାଲ ପ୍ରତି ମୂଲ୍ୟ 7280 ଟଙ୍କା ରେ ବିକ୍ରି କରିବାର ସୁଯୋଗ ନେବାକୁ ତଥା ବିକ୍ରି କରିବା ପୂର୍ବରୁ ନିଜ ନାମକୁ ତୁରନ୍ତ ପଞ୍ଜୀକରଣ କରିବା ପାଇଁ କମ୍ପାନୀ ର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କିମ୍ବା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି l