September 7, 2026
Home » ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-2026

ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-2026

0
WhatsApp Image 2026-09-06 at 8.06.44 PM (1)
• ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର
           ଭୁବନେଶ୍ୱର:“ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ ସିଏପି)-2026” ସପ୍ତାହ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ହାତିଆଶୁଣି ସଂପଦ କେନ୍ଦ୍ର ନିକଟରେ ବିଏମ୍ ସି ସ୍ତରୀୟ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା (ଆଇଏଏସ୍), ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଓଡିଶାର ମେମ୍ବର ସେକ୍ରେଟାରୀ ଡକ୍ଟର ମନୋଜ ଭି. ନାୟାର, ବିଏମ୍ ସି ଆମ୍ୱାସଡର ତଥା ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ପରିବେଶ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟରଙ୍କ ସହ  ବହୁ କର୍ପୋରେଟର ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶହ ଶହ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟା, ବିଭିନ୍ନ ଏଜେନ୍ସିର କର୍ମକର୍ତ୍ତାଙ୍କ ସହ ଟିମ୍ ବିଏମ୍ ସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ବିଏମ୍ ସି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ସଂପର୍କରେ ସମକ୍ୟ ସୂଚନା ପ୍ରଦାନ କରିଥିଲେ । ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ସମଗ୍ର ଦେଶବ୍ୟାପି କରାଯାଉଥିବା ସେ ସୂଚନା ଦେବା ସହ ବିଏମ୍ ସି ପକ୍ଷରୁ ବାୟୁ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ ।
ପରେ କମିଶନର ଶ୍ରୀ ଚଞ୍ଚଳ ରାଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପ୍ରତ୍ୟେକ ବ୍ୟକ୍ତି ବାୟୁ ପ୍ରଦୂଷଣ ରୋକିବା ଦିଗରେ କିପରି ସ୍ଥାୟୀ ଅଭ୍ୟାସ ଆପଣେଇବେ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ପ୍ରଦୂଷଣ ମୁକ୍ତ ସ୍ଥାୟୀ ସହରୀ ଗତିଶୀଳତା ପାଇଁ ବିଏମ୍ ସିର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ସହରକୁ ସ୍ୱଚ୍ଛ, ସବୁଜ ଓ ପ୍ରଦୂଷଣ ମୁକ୍ତ ଗଠନ କରିବା ପାଇଁ ନାଗରିକଙ୍କ ସହଭାଗିତା ନିହାତି ଆବଶ୍ୟକ ବୋଲି କହିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ଯଦି ନିଜ ପାଇଁ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବେ ଏବଂ ତାର ଯତ୍ନ ନେବେ, ତେବେ ଭୁବନେଶ୍ୱର ମହାନଗର ନିଗମ ସବୁଜ ବନାନୀରେ ହସି ଉଠିବ । ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଏମ୍ ସି ବିଭିନ୍ନ ପଦକ୍ଷେପ ନେଇଥିବାରୁ ସମଗ୍ର ଦେଶରେ ସ୍ୱଚ୍ଛ ବାୟୁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଯଦି ଭୁବନେଶ୍ୱର ବାସୀ ସମସ୍ତେ ସହଯୋଗର ହାତ ବଢାଇବେ, ନିଜ ଘର, ଆଖପାଖ ଓ ପଡିଆ ଜମିରେ ବୃକ୍ଷ ରୋପଣ କରି ତାର ଯତ୍ନ ନେବେ, ତେବେ ଆମର ପରପିଢି ସ୍ୱଚ୍ଛ, ସବୁଜ, ସୁସ୍ଥ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ  ଭୁବନେଶ୍ୱର ଗଠନ ହୋଇପାରିବ ।
ଜନ ସଚେତନତା ସଭା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିଥିଲେ । ପରେ ସ୍ୱଚ୍ଛ ବାୟୁ ଓ ସ୍ଥାୟୀ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ ବର୍ଗର ଲୋକଙ୍କୁ ଆରଆରଆର ଜରିଆରେ ବସ୍ତ୍ର ବଣ୍ଟନ କରିଥିଲେ । ଦୁଇଜଣ କୁଷ୍ଠ ମୁକ୍ତ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ସେହିପରି ବନ ବିଭାଗ ପକ୍ଷରୁ ବିଭିନ୍ନ ଚାରା ମଧ୍ୟ ବଣ୍ଟନ କରାଯାଇଥିଲା । ଏଠାରେ ଓ୍ୱେଷ୍ଟ ଟୁ ଆର୍ଟ, ମୋ ଖତ, ଧୂପକାଠି ପ୍ରସ୍ତୁତି ଆଦି 10 ଗୋଟି ଷ୍ଟଲ ମଧ୍ୟ ଖୋଲାଯାଇଥିଲା । ଅତିଥିମାନେ ଏହି ସବୁ ଷ୍ଟଲ ବୁଲି ଦେଖିବା ସହ ବର୍ଜ୍ୟରୁ କିପରି ସଂପଦ ସୃଷ୍ଟି ହେଉଛି ତାହା ଦେଖି କର୍ଚଚାରୀମାନଙ୍କୁ ପ୍ରସଂଶା କରିଥିଲେ । ଏହି ଅବସରରେ ପରିବେଶ ପ୍ରଦୂଷଣ ମୁକ୍ତ ସହରକୁ ପ୍ରୋତ୍ସାହିତ କରୁଥିବା ଏକ ସଚେତନତା ରଥକୁ ପତାକା ଦେଖାଇ ଅତିଥିମାନେ ଶୁଭାରମ୍ଭ କରିଥିଲେ ।
                ସଂପ୍ରତି ସହରର ବିଭିନ୍ନ ସ୍ଥାନରେ 15 ଗୋଟି ମିଆଓ୍ୱାକି ଜଙ୍ଗଲ ସୃଷ୍ଟି କରିବା ସହ ନଗର ବନ, ପାତ୍ରପଡ଼ା, ଓୟୁଏଟି ବାଉଁଶ ଫାର୍ମ, ପଳାଶୁଣି ଏମ୍ଆରଏଫ୍ ଏବଂ ଆଇସିଏଆର ଛକରେ ମୋଟ ପ୍ରାୟ 60 ହଜାର ଚାରା ରୋପଣ କରାଯାଇଛି। ଏହି ଗତିକୁ ଜାରି ରଖି, ଚଳିତ ବର୍ଷ ହାତିଆଶୁଣି, ନଗର ବନ, ପାଇକରାପୁର, ଓୟୁଏଟି ବରମୁଣ୍ଡା, ଏବଂ ଅନ୍ୟାନ୍ୟ ସ୍ଥାନରେ 50 ହଜାରରୁ ଅଧିକ ବୃକ୍ଷ ରୋପଣ କରାଯାଇଛି । ଚଳିତ ବର୍ଷ 1 ଲକ୍ଷ ଚାରା ରୋପଣ କରିବା ପାଇଁ ବିଏମ୍ ସି ଲକ୍ଷ୍ୟ ରଖିଥିବା କୁହାଯାଇଛି । ସେହିପରି ସିଏସ୍ଆର ସହାୟତାରେ ଛଅଗୋଟି ପ୍ରମୁଖ ଅଣ୍ଡରପାଶ ଏବଂ ମିଡିଆନରେ ସବୁଜୀକରଣ ଓ ତାର ରକ୍ଷଣାବେକ୍ଷଣ କରାଯାଉଥିବା ବିଏମ୍ ସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *