ବିଭିନ୍ନ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ଇଚ୍ଛାପୁର ଗ୍ରାମବାସୀ
ମଦ ବନ୍ଦ, ଅଙ୍ଗନବାଡ଼ି ସୁଧାର ଓ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି…..
ଧର୍ମଗଡ଼ : ଗାଁ ରେ ମଦ ବିକ୍ରି ବନ୍ଦ କରିବା ସହ ଅଙ୍ଗନବାଡ଼ି ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଧର୍ମଗଡ଼ ବ୍ଲକ ତରାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମବାସୀ। ଏ ନେଇ ଶତାଧିକ ମହିଳା,ପୁରୁଷ ବିଭାଗୀୟ ଅଧିକାରୀ ମାନଙ୍କୁ ଭେଟି ଦାବି ଜଣାଇଛନ୍ତି।
ଗ୍ରାମରେ ଥିବା ତିନୋଟି ମଦ କୋଠି କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗ୍ରାମବାସୀ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରିଣୀ ପ୍ରତିମା ବେହେରାଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଏଥିସହ ତରାପୁର ସ୍ଥିତ ମଦ ଭାଟି କୁ ଯାଇ ଗ୍ରାମରେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ମଦ ଯୋଗାଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଗ୍ରାମରେ ମଦ ବିକ୍ରି ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି।ସେହିପରି ଗ୍ରାମର ଏକମାତ୍ର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହା ଅନ୍ୟ ଜଣଙ୍କ ବାରଣ୍ଡାରେ ଚାଲିଛି। ଅଙ୍ଗନବାଡ଼ି କର୍ମୀ ନିୟମିତ ଆସୁନଥିବା ସହ ପିଲାଙ୍କୁ ଖାଦ୍ୟ ବଣ୍ଟନ ଓ ପାଠପଢ଼ା ଠିକ୍ ଭାବେ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଧରିତ୍ରୀ ପାଣିଗ୍ରାହୀଙ୍କୁ ଭେଟି ଜଣାଇଥିଲେ। ଅଭିଯୋଗର ତଦନ୍ତ ପାଇଁ ଗ୍ରାମକୁ ଯିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି।ଅନ୍ୟପକ୍ଷରେ ଗ୍ରାମର ବିଦ୍ୟାଳୟରେ ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୩ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ମାତ୍ର ଚାରିଜଣ ଶିକ୍ଷକଙ୍କ ଦ୍ୱାରା ଏତେ ସଂଖ୍ୟକ ପିଲାଙ୍କ ପାଠପଢ଼ା ଠିକ୍ ଭାବେ ହେବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦେବା ସହ ବିଦ୍ୟାଳୟ ଗୃହ ଘରୋଇ ଜମିରେ ରହିଥିବାବେଳେ ରୋଷେଇ ଘରର ମଧ୍ୟ ବ୍ୟବସ୍ଥା ନାହିଁ। ତେଣୁ ସରକାରୀ ଜମି ଚିହ୍ନଟ କରି ସେଠାରେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ କରିବାକୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଠାରେ ଦାବି ଜଣାଇଛନ୍ତି।ତେବେ ଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ନେପାଲ ଚନ୍ଦ୍ର ବାଗ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ କହିଛନ୍ତି।ଗ୍ରାମର ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
