ବୌଦ୍ଧ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମୁଖ୍ୟାଳୟ ସମ୍ମିଳନି କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଚାଲୁଥିବା ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ- ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ମହେନ୍ଦ୍ର କୁମାର ସାହୁଙ୍କ ସହିତ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରିୟ ଅଧିକାରୀ ଯୋଗଦେଇଥିଲେ । ସଭାରେ ଜିଲ୍ଲାପାଳ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସମସ୍ତ ବିଭାଗଙ୍କୁ ସଚେତନ ଓ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସ୍ୱାସ୍ଥ୍ୟ ବିଭାଗକୁ ଅଂଶୁଘାତ ମାମଲାର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲରେ ପ୍ରସ୍ତୁତି ନିଶ୍ଚିତ କରିବା ସହ ଓଆରଏସ୍ , ଆବଶ୍ୟକ ଔଷଧ ଓ ଚିକିତ୍ସା ସୁବିଧା ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଗଲା। ଡାକ୍ତରଖାନା ମାନଙ୍କରେ ସ୍ବଚ୍ଛ ପରିମଳ ସହିତ ଆବଶ୍ୟକ କୁଲର ଓ ଏସି. କାର୍ଯ୍ୟକ୍ଷମ କରିବାପାଇଁ ସିଡିଏମଓ ପଦକ୍ଷେପ ନେବେ। ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗକୁ ସହର ଓ ଗ୍ରାମୀଣ ଅଞ୍ଚଳରେ ନିରବଛିନ୍ନ ପାନୀୟ ଜଳ ଯୋଗାଣ ସହିତ ଖରାପ ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବାକୁ କୁହାଗଲା। ବାହାରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଦିନର ତୀବ୍ର ଗରମ ସମୟରେ କାମ ନ କରିବା ପାଇଁ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା । ଦିନ ୧୧ ଘଟିକା ରୁ 3 ଘଟିକା ମଧ୍ୟରେ ସମସ୍ତ ବାହ୍ୟଶ୍ରମ କାମ ସବୁ ବନ୍ଦ ରହିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବିଶ୍ରାମ ନେବାପାଇଁ ବ୍ୟବସ୍ଥା ରହିବ । ଏହାକୁ ସମସ୍ତ ବିଡିଓ, ତହସିଲଦାର ଓ ଜିଲ୍ଲା ଶ୍ରମ ଅଧିକାରୀ ସୁନିଶ୍ଚିତ କରିବେ। ବୌଦ୍ଧଗଡ଼ ପୌରପାଳିକା ଓ ସମସ୍ତ ପଞ୍ଚାୟତରେ ବାଟୋଇ ମାନଙ୍କ ପାଇଁ ଜଳଛତ୍ରରେ ପାନୀୟ ଜଳ ବ୍ୟବସ୍ଥା ସହିତ ଓଆରଏସ୍ ଯୋଗାଣ ଓ ସେଠାରେ ଛାୟାଯୁକ୍ତ ବିଶ୍ରାମ ସ୍ଥଳ କାର୍ଯ୍ୟକାରୀ କରିବାକୁ କୁହାଗଲା । ସମସ୍ତ ବସରେ ପର୍ଯ୍ୟାପ୍ତ ପିଇବା ପାଣି ବୋତଲ ଓ ଓଆରଏସ୍ ରହିବ ।
ପରିସ୍ଥିତିର ନିରନ୍ତର ନିରୀକ୍ଷଣ , ସମୟୋଚିତ ପଦକ୍ଷେପ ଗ୍ରହଣ ଓ ଆପାତକାଳୀନ ସହାୟତା ପାଇଁ ଜିଲ୍ଲା ମୁଖ୍ୟାଳୟରେ ଏବଂ ପ୍ରତି ବ୍ଲକ ଓ ତହସିଲରେ କଣ୍ଟ୍ରୋଲ ରୁମ୍ ୨୪ x ୭ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଗଲା। ଗ୍ରୀଷ୍ମଋତୁରେ ମଧ୍ୟ ପ୍ରତିଦିନ ପ୍ରାତଃ କାଳରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରହିବା ସହିତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଆବଶ୍ୟକ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ବିଦ୍ୟୁତ୍ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବେ l ଜିଲ୍ଲାପାଳ ସମସ୍ତ ବିଭାଗକୁ ସଚେତନ ରହି ସମନ୍ୱିତ ଭାବରେ କାର୍ଯ୍ୟ କରିବା ସହ ବରିଷ୍ଠ ନାଗରିକ, ଶିଶୁ, ବାହାରେ କାମ କରୁଥିବା ଶ୍ରମିକ ଓ ଅସହାୟ ବର୍ଗଙ୍କୁ ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
