October 1, 2026
Home » ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୧ରେ ଓଜେସିର ବିଶାଳ ସାଂଗଠନିକ ବୈଠକ

ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୧ରେ ଓଜେସିର ବିଶାଳ ସାଂଗଠନିକ ବୈଠକ

0
WhatsApp Image 2026-09-30 at 6.40.08 PM (1)

 

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୨୧ ନମ୍ବର ୱାର୍ଡରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଓଜେସି ସାଧାରଣ ସମ୍ପାଦକ ସୋମନାଥ ରାଉତଙ୍କ ସଭାପତିତ୍ୱରେ ସ୍ଥାନୀୟ ସାଲିଆସାହି ସ୍ଥିତ ଯୁବବସ୍ତି କ୍ଳବ ପଡ଼ିଆରେ ବିଏମସିର ୨୧ ନମ୍ବର ୱାର୍ଡର କର୍ମକର୍ତ୍ତାମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସାଂଗଠନିକ ବୈଠକରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଏବେ ବିଜୁ ଜନତା ଦଳର ଦଖଲରେ ରହିଛି ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ବିଜେପି ଦଳର ଅଟନ୍ତି । କିନ୍ତୁ ଭୁବନେଶ୍ୱରବାସୀଙ୍କ ସମସ୍ୟାର ସମାଧାନ କରିବା ପାଇଁ କେହି ବି ସକ୍ଷମ ହୋଇନାହାନ୍ତି । ବିନା ନୋଟିସରେ ବସ୍ତି ଭଙ୍ଗାଯାଉଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ ଥଇଥାନ ଓ ନୋଟିସ୍ ଦିଆଯାଇ ଉଚ୍ଛେଦ କରାଯାଉନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକଙ୍କ ପାଖରେ ଘର ଖଣ୍ଡେ ନାହିଁ । ଘର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଉଭୟ ଦଳ ଲୋକଙ୍କୁ ବାସହରା କରିଦେଉଛନ୍ତି । ପିଇବା ପାଣି ସମସ୍ୟା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥାରେ ଭୁବନେଶ୍ୱର ମହାନଗର ନିଗମ ଓ ନଗର ଉନ୍ନୟନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାସନ ଚାଉଳ ପାଇଁ ଦିନ ଦିନ ଧରି ଧାଡ଼ିରେ ଠିଆ ହୋଇ ମଧ୍ୟ ଲୋକମାନେ ଚାଉଳ ନପାଇ ନିରାଶ ହୋଇ ଫେରୁଛନ୍ତି ।

ତେବେ ଓଡ଼ିଶା ଜନତା କଂଗ୍ରେସ ଭୁବନେଶ୍ୱରବାସୀଙ୍କ ଏକମାତ୍ର ସ୍ୱର ହୋଇ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଲଢେଇ କରୁଛି । କିଛି ମାସ ପୂର୍ବରୁ ସମ୍ ହସ୍ପିଟାଲ ନିକଟସ୍ଥ ସାମପୁର ଅଞ୍ଚଳରେ ଘରଭାଙ୍ଗିବା ସମୟରେ ଓଜେସି ଏକମାତ୍ର ଦଳ ଭାବେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଠିଆହୋଇ ସେମାନଙ୍କ ପାଇଁ ନ୍ୟାୟିକ ଲଢ଼େଇ ଲଢ଼ିଥିଲା । ଓଜେସି ନେତାମାନଙ୍କ ଦ୍ୱାରା ମାନବାଧିକାର କମିଶନ ନିକଟରେ ଏକ ପିଟିସନ୍ ଦାୟର ହେବାପରେ ସମସ୍ତ ୩୦୫ଜଣଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଲ୍.ଆଇ.ଜି ଘର ଯୋଗାଇ ଦେବାକୁ କମିଶନର ବିଡିଏକୁ ନିର୍ଦ୍ଦେଶ ଦେଲେ । ଆଗାମୀ ଦିନରେ ଯେଉଁ ବସ୍ତିରେ ବେଆଇନ ଭାବେ ଓ ବିନା ନୋଟିସରେ ଘର ଭଙ୍ଗା ଯିବ, ଓଜେସି ସେହି ଅଞ୍ଚଳରେ ଏହାକୁ ଦୃଢ଼ ବିରୋଧ କରିବ ବୋଲି ଓଜେସି ସଭାପତି ନିଜ ବକ୍ତବ୍ୟରେ କହିଥିଲେ ।ଏହି ସାଂଗଠନିକ ବୈଠକରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱରର ନିର୍ମାଣ ପାଇଁ ଯେଉଁ ବିଶ୍ୱକର୍ମାମାନଙ୍କର ସବୁଠୁ ବେଶୀ ଅବଦାନ ରହିଛି, ସେମାନେ ସମସ୍ତେ ଏହି ୨୧ ନମ୍ବର ୱାର୍ଡ ବା ସାଲିଆସାହି ଭିତରେ ରହୁଛନ୍ତି । କିନ୍ତୁ ବିଏମସି କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ସାବତପୁଅ ସଦୃଶ ବ୍ୟବହାର କରୁଛନ୍ତି । ଏହି ଅଞ୍ଚଳର ସମସ୍ତ ସମସ୍ୟାର ସ୍ୱର ହୋଇ ଓଜେସି ଲଢ଼େଇ କରିବ ବୋଲି ସେ କହିଥିଲେ । ଓଜେସି ପକ୍ଷରୁ ଏହି ବୈଠକକୁ ନାରୀ ନେତ୍ରୀ ସୀତା ସାହୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ, ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, କୃଷକ ନେତା ଶେଷଦେବ ନନ୍ଦ,  ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା,  କୃଷକ  ଜନତା କଂଗ୍ରେସ  ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ସ୍ଥାନୀୟ ଅଞ୍ଚଳର ପ୍ରଦୀପ ନାୟକ, ମାନି ମାଝୀ, ଗୀତା ସାହୁ, ମିଲି ସାହୁ, କାମିନି ସାହୁ, ତପସ୍ୱିନୀ ବେହେରା, ସଙ୍ଗୀତା ପ୍ରଧାନ, ଅନନ୍ତ ବେହେରା, ସନିଆ ବାବୁ, ପାପୁନି ବାବୁ ଓ ରାକେଶ ସାହୁ ପ୍ରମୁଖ ଓଜେସି କର୍ମକର୍ତ୍ତାମାନେ ଏହି ବୈଠକର ଆୟୋଜନ ଓ ପରିଚାଳନା କରିଥିଲେ । ଏହି ସାଂଗଠନିକ ବୈଠକରେ ୨୧ ନମ୍ବର ୱାର୍ଡର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *