October 29, 2026
Home » ମରଣଯନ୍ତା ପାଲଟିଛି ପୋଖରୀର ଗାଧୁଆ ତୁଠ

ମରଣଯନ୍ତା ପାଲଟିଛି ପୋଖରୀର ଗାଧୁଆ ତୁଠ

0
WhatsApp Image 2026-10-28 at 8.27.24 AM

 

 

ଚମ୍ପୁଆ,: ଜନସାଧାରଣଙ୍କ ନିତ୍ୟବ୍ୟବହାର୍ଯ୍ୟ ପାଇଁ ନିର୍ମାଣ ହୋଇଥିବା ପୋଖରୀର ଗାଧୁଆ ତୁଠ ଯଦି ବିପଦର କାରଣ ପାଲଟେ, ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ ? ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ । ପୋଖରୀର ଗାଧୁଆ ତୁଠରେ ପାଣି ଜମି ରହିବା ସହ ଶିଉଳି ଆସ୍ତରଣ ପଡ଼ିଥିବାରୁ ଏହା ଦୈନନ୍ଦିନ ସ୍ନାନ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏଥିସହ ଜମି ରହୁଥିବା ଗାଧୁଆ ପାଣିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଅଧିନରେ ସର୍ବସ୍ବ ହରାଇ ଆଙ୍ଗୁଳିଆସ୍ଥିତ ଏହି ବିସ୍ଥାପିତ କଲୋନୀରେ ଚମକପୁର ଗ୍ରାମର ଶତାଧିକ ପରିବାର ବସବାସ କରୁଛନ୍ତି । ଏହି ପରିବାରଗୁଡ଼ିକର ଦୈନନ୍ଦିନ ଆବଶ୍ୟକତା ପୂରଣ ନିମନ୍ତେ ପ୍ରକଳ୍ପ ଜରିଆରେ କଲୋନୀ ମଧ୍ୟରେ ଏକ ପୋଖରୀ ନିର୍ମାଣ କରାଯାଇଥିଲା । ପୋଖରୀଟି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ଉପଯୋଗୀ ଜଳାଶୟ ହୋଇଥିବାବେଳେ ଏହାର ଗାଧୁଆ ତୁଠର ଦୁରବସ୍ଥା ଏବେ ଚିନ୍ତାର କାରଣ ପାଲଟିଛି । ପୋଖରୀର ଗାଧୁଆ ତୁଠରେ ପାଣି ଜମି ରହିବା ସହ ଏହାର ଉପରିଭାଗରେ ଶିଉଳି ଜମିଯାଇଛି । ଫଳରେ ତୁଠଟି ଖସଡ଼ା ହୋଇପଡ଼ିଛି । ପ୍ରତିଦିନ ଏହି ତୁଠରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଅନ୍ୟାନ୍ୟ ବୟସର ଲୋକମାନେ ସ୍ନାନ କରୁଥିବାରୁ ଏଠାରେ ଦୁର୍ଘଟଣାର ଆଶଙ୍କା ରହିଛି ।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିଉଳି ଯୋଗୁଁ ଗୋଡ଼ ଖସିଯାଇ ବିଭିନ୍ନ ସମୟରେ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିଶେଷକରି ଛୋଟ ପିଲା ଓ ମହିଳାମାନେ ଏହି ତୁଠ ବ୍ୟବହାର କରୁଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ । ତେଣୁ ଏହି ସମସ୍ୟାକୁ ହାଲୁକା ଭାବେ ନନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । କେବଳ ଦୁର୍ଘଟଣା ଆଶଙ୍କା ନୁହେଁ, ଗାଧୁଆ ତୁଠରେ ପାଣି ଜମି ରହିବା ମଧ୍ୟ ଅନ୍ୟ ଏକ ସମସ୍ୟା ସୃଷ୍ଟି କରୁଛି । ଜମି ରହୁଥିବା ଗାଧୁଆ ପାଣିରୁ ଦୁର୍ଗନ୍ଧ ବାହାରୁଥିବାରୁ କଲୋନୀର ପରିବେଶ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି । ଏହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ପୋଖରୀର ଉପଯୁକ୍ତ ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନ ଉଠିଛି । ଯେଉଁ ଉଦ୍ଦେଶ୍ୟରେ ପୋଖରୀ ଓ ଗାଧୁଆ ତୁଠ ନିର୍ମାଣ କରାଯାଇଥିଲା ତାହାର ସୁବିଧା ସ୍ଥାନୀୟ ଲୋକମାନେ ସୁରକ୍ଷିତ ଭାବେ ପାଇବା ଆବଶ୍ୟକ । କିନ୍ତୁ ତୁଠର ଏଭଳି ଅବସ୍ଥା ଯୋଗୁଁ ଲୋକମାନଙ୍କୁ ଦୈନନ୍ଦିନ ସ୍ନାନ ସମୟରେ ବିପଦର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ପରିସ୍ଥିତିରେ ପୋଖରୀର ଗାଧୁଆ ତୁଠକୁ ଯଥାଶୀଘ୍ର ମରାମତି କରିବା ସହ ଜମି ରହୁଥିବା ପାଣିର ନିଷ୍କାସନ ବ୍ୟବସ୍ଥା କରିବା, ଶିଉଳି ସଫା କରିବା ଏବଂ ତୁଠକୁ ସୁରକ୍ଷିତ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ସମ୍ପୃକ୍ତ ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି । ଏକ ସମ୍ଭାବ୍ୟ ଦୁର୍ଘଟଣା ଘଟିବା ପୂର୍ବରୁ ଏହି ସମସ୍ୟାର ସମାଧାନ କରାଗଲେ ବିସ୍ଥାପିତ ପରିବାରଗୁଡ଼ିକ ଉପକୃତ ହୋଇପାରିବେ । ସମ୍ପୃକ୍ତ କର୍ତ୍ତୃପକ୍ଷ କେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଗାଧୁଆ ତୁଠର ମରାମତି କରୁଛନ୍ତି ଏବେ ତାହା ଦେଖିବାକୁ ବାକି ରହିଲା ।

 

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *