ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା
ନୟାଗଡ : ନୟାଗଡ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରିଥିବା ବେଳେ, ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ନୟାଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ଐଶ୍ଵର୍ଯ୍ୟା ଭୂୟାଁ, ନୟାଗଡ ତହସିଲଦାର ରାଜେଶ କେଶରୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲା ବେଳେ ଏହାର ସଫଳ ଆୟୋଜନ ପାଇଁ ସ୍ଵେଚ୍ଛାସେବୀ ସଂଗଠନ(ସେବା) କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୧.୦୪.୨୦୨୬ରିଖ ଦିନ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହେବ। ଏହି ଅଭିନବ କାର୍ଯ୍ୟକ୍ରମରେ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ୨୨ଜଣ କନ୍ୟାମାନଙ୍କର ଏକ ଗଣ ବିବାହ କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବ। ପ୍ରତ୍ୟେକ କନ୍ୟାକୁ କନ୍ୟାଧନ ସ୍ୱରୂପ ୩୫୦୦୦ଟଙ୍କା ଅର୍ଥରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଉକ୍ତ ଦିନ ସକାଳ ୬ଘଟିକା ଠାରୁ ଶୁଭ ଲଗ୍ନରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବା ର ବ୍ୟବସ୍ଥା ରହିଛି। ଏଥିରେ କନ୍ୟାଘର ଓ ବରଘର ତରଫରୁ ୨୦ଜଣ ସମ୍ପର୍କୀୟ ସାମିଲ ହେବାର ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ ଜିଲ୍ଳା ଅଗ୍ନିଶମ ଅଧିକାରୀ ପ୍ରସନ୍ନ ବେହେରା, ଜିଲ୍ଳା ଯୋଗାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜେଇ ଜନସ୍ୱାସ୍ଥ୍ୟ, ବିଭିନ୍ନ ବ୍ଲକରୁ ଆସିଥିବା ସିଡ଼ିପିଓମାନେ , ସେବା ଅନୁଷ୍ଠାନର ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା, ଉପସଭାପତି ସଂଜୟ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
