ଯଶୋଦାଦେବୀ ନର୍ସିଂ ସ୍କୁଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁରସ୍ଥିତ ଯଶୋଦାଦେବୀ ନର୍ସିଂ ସ୍କୁଲଠାରେ ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ୍ ଏନ୍ରିଚ୍ମେଣ୍ଟ (RARE) ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ନର୍ସିଂ ସ୍କୁଲର ୭୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ପରାମର୍ଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ RAREର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।
ଏହି ଅବସରରେ RAREର ସଭାପତି ଅଶ୍ୱିନୀ କୁମାର ହୋତା, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତ୍ରିବିକ୍ରମ ପଣ୍ଡିଆ, BNIର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ ରାଜୀବ କର୍ମୀ, ବଲାଙ୍ଗୀର ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (DMHP)ର PSW ଶିବ କର୍ମୀ ଏବଂ ନର୍ସିଂ ସ୍କୁଲର ଅଧ୍ୟକ୍ଷ ଲିକନ ପଣ୍ଡା ଉପସ୍ଥିତ ଥିଲେ।
ଆଲୋଚନାରେ ଶିବ କର୍ମୀ ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟର ଅର୍ଥ, ମାନସିକ ରୋଗର ବିଭିନ୍ନ କାରଣ ଏବଂ ମାନସିକ ସ୍ୱାସ୍ଥ୍ୟକୁ କିପରି ଭଲ ରଖିହେବ, ସେ ସମ୍ପର୍କରେ ବୁଝାଇଥିଲେ। ରାଜୀବ କର୍ମୀ ମସ୍ତିଷ୍କର କାର୍ଯ୍ୟଧାରା ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରିଥିଲେ।
ସେହିପରି ଡାକ୍ତର ତ୍ରିବିକ୍ରମ ପଣ୍ଡିଆ ହରମୋନ୍ର ଅସନ୍ତୁଳନ ସମେତ ମାନସିକ ରୋଗର ବିଭିନ୍ନ କାରଣ ଓ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ଅନଙ୍ଗ ନେଗୀ ଚାପ ପରିଚାଳନା (Stress Management) ଏବଂ ଦୈନନ୍ଦିନ ଜୀବନରେ ଚାପକୁ କିପରି ନିୟନ୍ତ୍ରଣ କରିହେବ, ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
RAREର ସଭାପତି ଅଶ୍ୱିନୀ କୁମାର ହୋତା ସୁସ୍ଥତାର ପ୍ରକୃତ ଅର୍ଥ ବୁଝାଇବାକୁ ଯାଇ କହିଥିଲେ ଯେ, କେବଳ ଶାରୀରିକ ଭାବେ ସୁସ୍ଥ ରହିଲେ ଜଣେ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କୁହାଯାଇପାରିବ ନାହିଁ। ଶାରୀରିକ ସ୍ୱାସ୍ଥ୍ୟ ସହ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଶେଷରେ ନର୍ସିଂ ସ୍କୁଲର ଅଧ୍ୟକ୍ଷ ଲିକନ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ମାନସିକ ରୋଗ ପ୍ରତି ଥିବା ଭ୍ରାନ୍ତ ଧାରଣା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
