ରଥ ଭାଙ୍ଗିବା କାର୍ଯ୍ଯ ଆରମ୍ଭ
ଶେଷ ହୋଇଛି ମହାପ୍ରଭୁଙ୍କ ଚଳିତ ବର୍ଷର ରଥଯାତ୍ରା। ସିଂହଦ୍ଵାର ସମ୍ମୁଖରେ ତିନିରଥ ଏବେ ଦଣ୍ଡାୟମାନ ରହିଛି। ତେବେ ରଥ ଭାଙ୍ଗିବା କାର୍ଯ୍ଯ ଆରମ୍ଭ ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନ ରେ ଭୋଇ ସେବକ ମାନେ ରଥ ଭାଙ୍ଗିବା କାର୍ଯ୍ଯ ଆରମ୍ଭ କରିଛନ୍ତି। ବିଧି ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯିବା କାର୍ଯ୍ୟ ପ୍ରଥମେ ଆରଂଭ ହୋଇଛି। ଏହା ପରେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ ରଥ ଭଙ୍ଗା ଯିବ। ତେବେ ତିନି ରଥର ଚକ, ପ୍ରଭା, ଗୁଜ ଏବଂ ଅସୁଆରୀ କୁ ଭକ୍ତଙ୍କ ଉଦ୍ଦେଶ୍ୟରେ ନିଲାମ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବାକୁ ଥିବା ରଥ ଚକ ଓ ବିଭିନ୍ନ ଅଂଶ ର ନିଲାମୀ ରେ ଭାଗ ନେଇ ଏବଂ ନିଲାମୀ ରେ ସ୍ଥିର ମୂଲ୍ୟ ଦେଇ ଜଗନ୍ନାଥ ପ୍ରେମୀ ଅବା ଯେକୌଣସି ଅନୁଷ୍ଠାନ ରଥ ଚକ ସହିତ ରଥର ବିଭିନ୍ନ ଅଂଶ କିଣିପାରିବେ। ତେବେ ଖୁବଶୀଘ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଚଳିତବର୍ଷ ପାଇଁ ରଥ ଚକ ସହିତ ରଥର ଅନ୍ୟାନ୍ୟ ଅଂଶ ନିଲାମ ନେଇ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ ସ୍ଥିର କରାଯିବ। ଜଗନ୍ନାଥ ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନ ମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ ପ୍ରକ୍ରିୟାକୁ ଅନୁପାଳନ କରି ରଥ ଚକ ଏବଂ ରଥର ଅନ୍ୟାନ୍ୟ ଅଂଶ କିଣିପାରିବେ।
