ରାଧାନଗରରେ ୫୦ତମ ଶାରଦୀୟ ଦୁର୍ଗାପୂଜା, ମଞ୍ଚସ୍ଥ ହେଲା ସାମାଜିକ ନାଟକ ‘‘କାହାକୁ କହିବି ଦୁଃଖ କାହାଣୀ’’
ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମରେ ୫୦ତମ ଶାରଦୀୟ ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମର ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ସହ ସାମାଜିକ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଗ୍ରାମ କଳାକାରମାନଙ୍କୁ ନେଇ ଏକ ସାମାଜିକ ନାଟକ ମଞ୍ଚସ୍ଥ କରାଯାଇଥିଲା।ଗ୍ରାମର ଅଗ୍ରଣୀ ନାଟ୍ୟାନୁଷ୍ଠାନ ମା ଗ୍ରାମ ଦେବତୀ ନାଟ୍ୟ ସଂସଦ, ରାଧାନଗର’ ର ୧୭ତମ ଅବଦାନ ଭାବେ ‘କାହାକୁ କହିବି ଦୁଃଖ କାହାଣୀ’ ଶୀର୍ଷକ ସାମାଜିକ ନାଟକ ପରିବେଷଣ କରାଯାଇଥିଲା। ନାଟକର ନିର୍ଦ୍ଦେଶନା ଦେଇଥିଲେ କାବୁ ବୋଷ। ଗ୍ରାମୀଣ କଳାକାରଙ୍କ ଅଭିନୟ ମାଧ୍ୟମରେ ସାମାଜିକ ଜୀବନର ବିଭିନ୍ନ ଦିଗକୁ ମଞ୍ଚରେ ଉପସ୍ଥାପନ କରାଯାଇଥିଲା।ଏହି ନାଟକର ମଞ୍ଚ ଉଦ୍ଘାଟନ କରିଥିଲେ ଗ୍ରାମ୍ୟ କମିଟିର ସଭାପତି ତଥା ରାଧାନଗର ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରିଥିବା ବ୍ୟକ୍ତି ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ସତ୍ୟନାରାୟଣ ଦେହୁରୀ। ତାଙ୍କ ଉଦ୍ୟମରେ ଗ୍ରାମରେ ଆରମ୍ଭ ହୋଇଥିବା ଏହି ପୂଜା ଆଜି ୫୦ ବର୍ଷର ଗୌରବମୟ ଯାତ୍ରା ପୂରଣ କରିଛି।ଧାର୍ମିକ ଆସ୍ଥା ସହ କଳା, ସଂସ୍କୃତି ଓ ନାଟ୍ୟ ପରମ୍ପରାକୁ ଗୁରୁତ୍ୱ ଦେଇ ରାଧାନଗର ଗ୍ରାମବାସୀ ଏହି ସୁବର୍ଣ୍ଣ ଜୟନ୍ତୀ ଦୁର୍ଗାପୂଜାକୁ ସ୍ମରଣୀୟ କରିଛନ୍ତି। ଗ୍ରାମ କଳାକାରଙ୍କ ଏହି ପ୍ରୟାସ ସ୍ଥାନୀୟ କଳା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ପିଢ଼ିକୁ ନାଟ୍ୟକଳା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
