ରାସ୍ତା କାମ ନିମ୍ନମାନର : ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଦେଇ ଯାଇଥିବା ଜାତୀୟ ରାଜପଥ ୧୨୬(କ) ରୁ ଏନଏସି ର ୮ନମ୍ବର ୱାର୍ଡ ରୁ ସରସ୍ବତୀ ଶିଶୁ ମନ୍ଦିର ରାସ୍ତା କାମ ନିମ୍ନମାନର ହୋଇଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ସହିତ ପୁନର୍ବାର ଭଲ ଭାବେ ତିଆରି କରାଯାଉ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ l ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଂକ୍ରିଟ ରାସ୍ତା ତିଆରି କରୁଛନ୍ତି ହେଲେ ଦୁର୍ନୀତିଖୋର ଠିକାଦାରଙ୍କ ପାଇଁ ନିମ୍ନମାନ ହେଉଛି ଏବଂ ଅଳ୍ପ କିଛି ଦିନରେ ପୁଣି ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି l ଏହି ରାସ୍ତାଟି ଦୀର୍ଘ ୨୦/୨୫ ବର୍ଷ ହେଲା ତିଆରି କିମ୍ବା ମରାମତି ହୋଇନଥିବାରୁ ଗାଡଖାଳ ହୋଇ ମରଣଯନ୍ତା ପାଲଟିଥିଲା l ପ୍ରତ୍ୟହ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟୁଥିବାର ନଜିର ରହିଛି l ଏହି ରାସ୍ତା ଉପରେ ପ୍ରତ୍ୟେହ ନୁଆଁପାଲି, ଜବାଦ, କୋଲପଡା ଆଦି ଗାଁ ଓ ଶିଶୁ ମନ୍ଦିର, ସିଦ୍ଧାର୍ଥ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନେକ ଲୋକ ନିର୍ଭର କରି ଯିବାଆସିବା କରିଥାନ୍ତି l ଏହି ରାସ୍ତାରେ ସ୍କୁଲ ବସ, ଚାରିଚକିଆ ଭାରୀଯାନ ମଧ୍ୟ ଯିବାଆସିବା କରିଥାଏ l ଏହି ରାସ୍ତାଟି ଏତେ ଅଣଓସାରିଆ ଥିଲା ଯେ ଚାରିଚକିଆଟିଏ ଗଲେ ସାଇକେଲ କିମ୍ବା ବାଇକ ସାଇଟ ଦେବାକୁ ରାସ୍ତା ପାଉନଥିଲା l ବାରମ୍ବାର ଦାବି ପରେ ଦୀର୍ଘ ୨୦/୨୫ ବର୍ଷ ପରେ ଅର୍ଥାତ ଗୋଟିଏ ଯୁଗ, ଗୋଟିଏ ସ୍ଥିର ସରକାରର ଅନ୍ତ ଘଟି ରାଜ୍ୟରେ ନୁଆ ସରକାର ହେବା ପରେ ବିନିକା ଏନଏସି ର ଏସ. ଏଫ. ସି ଫଣ୍ଡ ରୁ ତିନୋଟି ପର୍ଯ୍ୟାୟରେ ୫୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇ ରାସ୍ତା କାମ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କାର କାମସରିଛି l କାମ ଆରମ୍ଭ ହେବାରୁ ଅଞ୍ଚଳ ବାସୀ ବହୁତ ଖୁସି ଥିଲେ, ହେଲେ ଏବେ କହୁଛନ୍ତି… ଯଥାପୂର୍ବଂ ତଥା ପରମ…l

ରାସ୍ତା କାମ ସରିବାର ଅଳ୍ପ କେଇଟା ଦିନ ମଧ୍ୟରେ କେଉଁଠି ଗୋଡ଼ ମାରିଦେଲେ ଗେଟି ଉଠି ଯାଉଛି ତ କେଉଁଠି ରାସ୍ତା ଫାଟି ଆଁ କଲାଣି ଆଉକେଉଠି ରାସ୍ତା ଧସି ଗଲାଣି l ଲୋକେ ଆଶା କରିଥିଲେ ରାସ୍ତା କାମ ହେଲେ ରାସ୍ତାଟି ଓସାରିଆ ହେବ, ସେମିତ ୧୮ ଫୁଟ ଓସାରର ରାସ୍ତା କରିବା ପାଇଁ ଟେଣ୍ଡର ମଧ୍ୟ ହୋଇଛି,କିନ୍ତୁ କାମ ସାରିବା ପରେ ଦେଖିଲା ବେଳକୁ କେଉଁଠି ୧୨ ଫୁଟ ତ କେଉଁଠି ୧୫ ଫୁଟ ଓସାର l ତେଣୁ ଲୋକେ ଅଭିଯୋଗ କରୁଛନ୍ତି ଯେ ଠିକାଦାର, ବିଭାଗୀୟ ଅଧିକାରୀ ଓ କିଛି ନେତାଙ୍କ ମଧୁଚନ୍ଦ୍ରିକା ହେତୁ ନିମ୍ନମାନର କାମ ହୋଇଛି l କିଛି ଅଞ୍ଚଳ ବାସୀ ଏହି ରାସ୍ତାଟି ୬ମାସ ମଧ୍ୟ ଯିବ ନାହିଁ ଓ ଖରାପ ହୋଇଯିବ ବୋଲି ଭବିଷ୍ୟବାଣୀ କରି କହିଛନ୍ତି l ଏନେଇ ଗତ ଜାନୁଆରୀ ମାସ ୧୯ ତାରିଖ କିଛି ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଦୁର୍ନୀତିକୁ ଲୁଚାଇବା ପାଇଁ କଂକ୍ରିଟ ରାସ୍ତା ଉପରେ ମାଟି ମୁରୁମ ବିଛାଇ ଦିଆ ଯାଇଥିଲା l ଫଳରେ କଂକ୍ରିଟ ରାସ୍ତାଟି ମାଟି ରାସ୍ତାର ଭ୍ରମ ସୃଷ୍ଟି କରୁଛି l ଗାଡିମୋଟର ଯିବା ସମୟରେ ପ୍ରବଳ ଧୂଳି ଉଡ଼ୁଛି l ଅଞ୍ଚଳ ବାସୀଙ୍କ ଭବିଷ୍ୟବାଣୀ ସତରେ ପରିଣତ ହୋଇଛି ମାତ୍ର ୬ ମାସ ମଧ୍ୟରେ ରାସ୍ତାର ଅନେକ ଜାଗା ଫାଟି ଧସି ଗଲାଣି ଏବଂ ଗୋଟିଏ ଜାଗାରେ ଅଳ୍ପ ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମିଯାଉଛି l ଲୋକେ କହିବା ଆରମ୍ଭ କଲେଣି ଯେ ଯଥା ପୂର୍ବରୁ ଯାହା ଥିଲା ଆଜି ମଧ୍ୟ ତାହା ଅଛି l ପିସି କାରବାର ବନ୍ଦ ନହେବା ପର୍ଯ୍ୟନ୍ତ ଏମିତି ନିମ୍ନମାନର କାମ ଓ ଦୁର୍ନୀତି ହେଉଥିବ l ଏନେଇ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଙ୍କୁ ପଚାରିବାରୁ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କାର କାମ ସରିଛି, ମୁଁ ନିଜେ ଫିଲ୍ଡ ଭିଜିଟ କରି ସବୁ କିଛି ଦେଖିଛି l ଖରାପ ହୋଇଥିବା ସ୍ଥାନକୁ ମରାମତି କରିବା ସହିତ ସମ୍ପୂର୍ଣ୍ଣ ରାସ୍ତାରେ ଆଉ ଥରେ କଂକ୍ରିଟ ପକାଇ ପୁନଃ ନିର୍ମାଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି l ସେଥିପାଇଁ ଠିକାଦାର ଙ୍କ ବିଲ ପେମେଣ୍ଟ କରାଯାଇ ନାହିଁ ଓ ପୁନର୍ବାର ଠିକଭାବରେ କାମ କଲା ପରେ ଯାଇ ବିଲ କରାଯିବ ବୋଲି କହିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
