ଶାନ୍ତି ଶୃଙ୍ଖଳାରେ ସରିଲା ପାରାଦୀପ ମହାବିଦ୍ୟାଳୟରେ ମନୋନୟନ ପତ୍ର ଦାଖଲ
ପାରାଦୀପ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ସଂସଦ ନିମନ୍ତେ ମନୋନୟନପତ୍ର ଦାଖଲ ଶେଷ ହୋଇଛି । ମନୋନୟନ ପତ୍ର ଦାଖଲ ନିମନ୍ତେ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପୋଲିସ୍ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ର ପ୍ରତିନିଧିମାନେ ସେମାନଙ୍କ ସମର୍ଥକମାନଙ୍କ ଗହଣରେ ଆସି ମନୋନୟନ ପତ୍ର ଦାଖଲ କରିଥିଲେ । ଦୀର୍ଘ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଛାତ୍ର ସଂସଦ ନିର୍ବାଚନ ନିମନ୍ତେ ପାରାଦୀପ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ବଢିଯାଇଛି । ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନେତାମାନେ ଅଣ୍ଟା ଭିଡିଛନ୍ତି । ଚଳିତ ବର୍ଷ ପାରାଦୀପ ମହାବିଦ୍ୟାଳୟରେ ସଭାପତି ଭାବେ ୫ଜଣ ମନୋନୟନ ପତ୍ର ଦାଖଲ କରିଛନ୍ତି । ରାକେଶ ବେଜ, ଲକ୍ଷ୍ମୀପ୍ରିୟା ଦାସ, ଶୁଭଲକ୍ଷ୍ମୀ ଦାସ, ଆଦିତ୍ୟ ପ୍ରସାଦ ମଲ୍ଲିକ, ତ୍ରିଶିଲା ରାଉତ ସଭାପତି ପଦ ନିମନ୍ତେ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ନିମନ୍ତେ ୩ଜଣ, ସାଧାରଣ ସମ୍ପାଦକ ନିମନ୍ତେ ୩ଜଣ, ସହ ସମ୍ପାଦକ ନିମନ୍ତେ ୩ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟାନ୍ୟ ପଦବୀ ପାଇଁ ମଧ୍ୟ ମନୋନୟନ ପତ୍ର ଦାଖଲ ହୋଇଥିବା ନେଇ ଅଧ୍ୟକ୍ଷା ଡ.ସସ୍ମିତା ଶତପଥୀ ସୂଚନା ଦେଇଛନ୍ତି ।
