November 20, 2026
Home » ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେଲା ସୁବର୍ଣ୍ଣପୁରର ଐତିହାସିକ ପ୍ରସିଦ୍ଧ ମହାବଳି ଯାତ୍ରା

ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେଲା ସୁବର୍ଣ୍ଣପୁରର ଐତିହାସିକ ପ୍ରସିଦ୍ଧ ମହାବଳି ଯାତ୍ରା

0
WhatsApp Image 2026-10-23 at 12.33.17 PM

ଆଶ୍ୱିନ ମାସ ଆସିଲେ ଚଳଚଞ୍ଚଳ ହୋଇଉଠେ ସୁବର୍ଣ୍ଣପୁର ସହର ଠୁ ଆରମ୍ଭ କରି ପୁରପଲ୍ଲୀ । ସବୁଠାରେ ଆରମ୍ଭ ହୋଇଯାଏ ଦେବୀ ଉପାସନା ଓ ବଳିଯାତ୍ରା । ହେଲେ ଅନ୍ୟ ସ୍ଥାନମାନଙ୍କରେ ଦିନେ କି ଦୁଇଦିନ ଏହି ଯାତ୍ରା ହେଉଥିବା ବେଳେ ସୁବର୍ଣ୍ଣପୁରରେ କିନ୍ତୁ ୧୫ ଦିନଧରି ଅନୁଷ୍ଠିତ ହୋଇଥାଏ ବଳିଯାତ୍ରା । ଯନ୍ତ୍ର,ମନ୍ତ୍ର ଓ ତନ୍ତ୍ରକୁ ନେଇ ନଅ ପ୍ରକାର ବଳି ହୋଇ ବରୁଆ ଦେହରେ ଦୈବୀଶକ୍ତୀ ଭରାଯାଏ । ଖାଲି ସେତିକି ନୁହେଁ ୧୬ ପ୍ରକାର ସଂପ୍ରଦାୟର ଲୋକେ ସମଗ୍ର ଏହି ବଳି ଯାତ୍ରାରେ ସେବାୟତ ଭାବରେ ନିୟୋଜିତ ଥାଆନ୍ତି ଓ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତି ।

ପ୍ରାଚୀନ ସୁବର୍ଣ୍ଣପୁରର ଲୋକ ସଂସ୍କୃତି ଓ ପରମ୍ପରା ନିଆରା । କାହିଁ କେତେଦିନ ରାଜା ରାଜୁଡା ଅମଳରୁ ସୁବର୍ଣ୍ଣପୁରରେ ପାଳିତ ହୋଇଆସୁଛି ବଳି ଯାତ୍ରା । ପ୍ରତିବର୍ଷ ଆଶ୍ୱିନ ମାସ ଅମାବାସ୍ୟାଠାରୁ ( ମହାଳୟା ) ପୁର୍ଣ୍ଣମୀ ଯାଏଁ ଦିର୍ଘ ୧୬ ଦିନଧରି ଅନୁଷ୍ଠିତ ହୋଇଥାଏ ବଳି ଯାତ୍ରା । ପର୍ଯ୍ୟାୟକ୍ରମେ ଉଆଁସବଳି,ଖଉଳଫିଟା ବଳି , ନିଶାବଳି , ଡାଙ୍ଗୁଆବଳି ,
ଗାୟନବଳି , ମହାବଳି ଏବଂ ଶେଷରେ ପୁର୍ଣ୍ଣମୀବଳି ଅନୁଷ୍ଠିତ ହୋଇଥାଏ ।

ହେଲେ ମୁଖ୍ୟବଳି ଯାତ୍ରା ହେଉଛି ନବମୀବଳି ବା ମହାବଳି । ଏହିଦିନ କଳାଧଳା ଛତ୍ର ସାଂଗରେ ବରୁଆ ଖମ୍ବେଶ୍ୱରୀ ମନ୍ଦିରରୁ ବାହାରି ସୁରେଶ୍ୱରୀ ମନ୍ଦିରକୁ ଯାଇଥାଏ । ତେବେ ଯନ୍ତ୍ର,ମନ୍ତ୍ର ଓ ତନ୍ତ୍ରଦ୍ୱାରା ହୋଇ ଆସୁଥିବା ଏହି ବଳିଯାତ୍ରା ବହୁପୁରୁଣା । ଶକ୍ତିପୀଠ ଖମ୍ବେଶ୍ୱରୀ ମନ୍ଦିରଠାରେ ନବମୀ ରାତିରେ ଏହା ହୋଇଥାଏ । ବରୁଆ ଦେହରେ ଦୈବୀଶକ୍ତି ଆବିର୍ଭାବ ପାଇଁ ଖଉଳ ଗାତର ମାଟି ଆଣି ବରୁଆର ନାଭିରେ ଲଗାଇ ପୁରୋହିତଙ୍କ ଦ୍ୱାରା କଟାଯାଇଥିବା ଅରୁଆ ଚାଉଳର ଯନ୍ତ୍ର ଉପରେ ଯୋଗ ମୁଦ୍ରାରେ ବସାଇ ଦିଆଯାଏ । ଢୁଲିଆମାନଙ୍କ ଶୋହଳଭରନି ବାଦ୍ୟର ତାଳରେ ଦେବୀ ଆବିର୍ଭାବ ହୁଅନ୍ତି । ତାପରେ ବରୁଆ ଉନ୍ମାଦରେ ତାଣ୍ଡବ ନୃତ୍ୟକରେ ଓ ଭକ୍ତମାନଙ୍କ ମଙ୍ଗଳ କାମନାକରି ସମସ୍ତଙ୍କ ଦର୍ଶନପାଇଁ କଳା ଧଳା ଛତ୍ରଧରି ମନ୍ଦିର ଭିତରୁ ବାହାରକୁ ୭ ଥର ବାହାରକୁ ବାହାରେ । ପରେ ଅଷ୍ଟଚଣ୍ଡିଙ୍କ ମୁଖ୍ୟପୀଠ ଖମ୍ବେଶ୍ୱରୀ ମନ୍ଦିରରୁ ସୁରେଶ୍ୱରୀ ମନ୍ଦିରକୁ ଶୋଭାଯାତ୍ରାରେ ଯାଏ ମହାବଳି । ଏହି ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଜମେ । ମହାବଳି ଯାତ୍ରା ଚଳିତବର୍ଷ ମହା ଜାକ ଜମକରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଭକ୍ତ ଓ ଦର୍ଶକ ଏହି ଯାତ୍ରାରେ ସାମିଲ ହୋଇଥିଲେ । ସବୁଠି ବଳି କହିଲେ ପଶୁ ବଳି କୁ ବୁଝାଇଥାଏ । ହେଲେ ସୁବର୍ଣ୍ଣପୁରେ ଅନୁଷ୍ଠିତ ଯାତ୍ରାରେ ବଳି କହିଲେ ବରୁଆ ବା ସମର୍ପଣକୁ ବୁଝାଇଥାଏ । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *