ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା।
ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା। ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ଵରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁପ୍ତ ଗୁଣ୍ଡିଚାରେ ମହାଲକ୍ଷ୍ମୀ ସ୍ୱରୂପା ମା ଦୁର୍ଗାଙ୍କୁ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରୟଣୀ ମନ୍ଦିରକୁ ବିଜେ କରିଛନ୍ତି। ଶ୍ରୀଗୁଣ୍ତିଚା ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ଆଶ୍ୱୀନ ମାସରେ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ ହୋଇଥାଏ ବୋଲି ଲୋକକଥା ରହିଛି। ତେବେ ଆଜି ଏହି ଗୁପ୍ତ ଗୁଣ୍ତିଚାରେ ଶ୍ରୀମନ୍ଦିରରୁ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଆସିଛନ୍ତି। ଏଠାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ପରେ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ଦୁର୍ଗାମାଧବ।
ଶ୍ରୀକ୍ଷେତ୍ରରେ ଆଷାଢ଼ ମାସରେ ଶ୍ରୀଗୁଣ୍ତିଚା ପରେ ଆଶ୍ୱୀନ ମାସରେ ଆଉ ଏକ ଗୁପ୍ତ ଗୁଣ୍ତିଚା ଯାତ୍ରାର ଆୟୋଜନ କରାଯାଇଥାଏ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରା କରିଥିବା ବେଳେ ମା ଲକ୍ଷ୍ମୀଙ୍କୁ ମହାପ୍ରଭୁ ସାଙ୍ଗରେ ନେଇନଥାନ୍ତି। ତେଣୁ ନିଳାଦ୍ରୀ ବିଜେ ସମୟରେ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ ଗୁପ୍ତ ଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମହାପ୍ରଭୁ। ସେହି ପ୍ରତିଶ୍ରୁତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରୁ ଦୂର୍ଗା ମାଧବ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଷୋଳପୂଜା ସମୟରେ ଶେଷ ଆଠଦିନ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି। ଲୋକକଥା ଅନୁଯାୟୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇନଥିବାରୁ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ କରାଯାଏ ବୋଲି କହିଛନ୍ତି ସେବାୟତ। ତେବେ ଅଭୀମାନୀନୀ ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ତିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦରରୁ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି।
ଏହି ଗୁପ୍ତ ଗୁଣ୍ତିଚା ଯାତ୍ରାରେ ଶ୍ରୀମନ୍ଦିରରେ ଥିବା ମା ବିମଳା ମନ୍ଦିରରରେ ସକାଳ ଧୂପ ଶେଷ ହେବା ପରେ ଦୁର୍ଗାମାଧବଙ୍କୁ ଏକତ୍ର ଏକ ବିମାନରେ ବସାଇ ନିଆଯାଇଥାଏ। ମାଧବ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଏକ ପ୍ରତିକୃତି ଏବଂ ଦୁର୍ଗାଙ୍କର ଏକ ପ୍ରତିମୁର୍ତ୍ତିକୁ ସିଂହାରୀ ସେବାୟତମାନେ ଏକାଠି ନେବାର ପରମ୍ପରା ରହିଛି। ନାରାୟଣୀ ମନ୍ଦିରରେ ଦୁର୍ଗାମାଧବ ପହଞ୍ଚିବା ପରେ ସେଠାରେ ସ୍ବତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇ ପୁଣି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ବିଶେଷ କରି ଏହି ଅବସରରେ ନାରାୟଣୀ ମନ୍ଦିରରେ ଦୁର୍ଗାମାଧବଙ୍କୁ ମାଣ୍ଡୁଅ ଭୋଗ କରାଯାଇଥାଏ।
ତେବେ ଏହି ଗୁପ୍ତ ଗୁଣ୍ତଚାକୁ ଶାକ୍ତ ଗୁଣ୍ତିଚା ଭାବେ ମଧ୍ୟ ନାମିତ କରାଯାଇଥାଏ। ଶାରଦୀୟ ଷୋଡ଼ଦିନାତ୍ମକ ପୂଜା ଅବସରରେ ଏହି ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହେଉଥିବାରୁ ଏହି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି ବୋଲି କହିଛନ୍ତି ସେବାୟତ ଓ ଗବେଷକ।
