August 21, 2026
Home » ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0
Screenshot 2026-02-04 141949

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତି ସକାଳେ ପ୍ରଥମେ ତୀର୍ଥ ପୁଷ୍କରିଣୀ ଶ୍ବେତ ଗଙ୍ଗାକୁ ଯାଇଥିଲେ। ସକାଳ ୭ ଟା ରେ ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତି ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରିଥିଲେ। ପରେ ଶ୍ବେତ ଗଙ୍ଗା ପୁଷ୍କରିଣୀରୁ ରାଷ୍ଟ୍ରପତି ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ। ସକାଳ ୭ଟା ୪୦ ରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ। ରାଷ୍ଟ୍ରପତି ପ୍ରଥମେ ଅରୁଣ ସ୍ତମ୍ଭ କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପରେ ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ପ୍ରାୟ ୨୦ ମିନିଟ୍ ଗର୍ଭଗୃହ ରେ ଉପସ୍ଥିତ ଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ନିଜେ ଦୀପ ଲଗାଇ ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ନାଟମଣ୍ଡପ ଦେଇ ପ୍ରବେଶ ସମୟରେ ବେଦ ପାଠ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ ରାଷ୍ଟ୍ରପତି ମୁକ୍ତିମଣ୍ଡପ କୁ ଯାଇ ବ୍ରାହ୍ମଣ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେ ଦେବୀ ବିମଳା, ମା ଲକ୍ଷ୍ମୀ ଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ରାଷ୍ଟ୍ରପତିଙ୍କର ମଙ୍ଗଳ କାମନା କରାଯାଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ଙ୍କ ପକ୍ଷରୁ ଆଜି ନୀଳଚକ୍ରରେ ପତିତପାବନ ବାନା ଲାଗି କରାଯାଇଛି। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ବାଇଶି ପାହାଚରେ କିଛି ସମୟ ବସି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ। ପରେ ରାଷ୍ଟ୍ରପତିଙ୍କୁ ସିଂହଦ୍ଵାର ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶୁଖିଲି ଭୋଗ ଏବଂ ମହାପ୍ରଭୁଙ୍କ ସୁନାବେଶର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।