ସରକାରୀ ଜମିରେ ଜବରଦଖଲ ମାମଲା
ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳଙ୍କ ଚିଠି ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ l
ସୁବର୍ଣ୍ଣପୁର — ଆଇନର ଆଖିରେ ସମସ୍ତେ ସମାନ, ସରକାରୀ ଜମି ସରକାରଙ୍କର ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବା ସମସ୍ତଙ୍କ କର୍ତ୍ତବ୍ୟ; କିନ୍ତୁ ସୋନପୁର ତହସିଲ ଅଞ୍ଚଳର ଶାନ୍ତିନଗରରେ ଏହି ନୀତି କେବଳ କାଗଜପତ୍ରରେ ସୀମିତ ରହିଯାଇଛି କି ବୋଲି ଏବେ ଜନସାଧାରଣରେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ସୋନପୁର ମୌଜାର ପ୍ଲଟ ନଂ. ୧୨୭୭, ଖାତା ନଂ. ୭୭୯, ଶାନ୍ତିନଗର ୱାର୍ଡ ନଂ. ୦୨ରେ ଥିବା ୦.୧୦୮ ଡିସିମିଲ ସରକାରୀ ଜମିକୁ ଶ୍ରୀ ଜଗବନ୍ଧୁ ପଣ୍ଡା ଦୀର୍ଘବର୍ଷ ଧରି ଜବରଦଖଲରେ ରଖିବା ସହ ଗତବର୍ଷ ସେଠାରେ ଏକ ପକ୍କାଘର ନିର୍ମାଣ କରିଛନ୍ତି। ଶାନ୍ତିନଗରର ମୁଖ୍ୟ ରାସ୍ତାକଡ଼ରେ ଥିବା ଏହି ଜମିରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ୧୯.୦୮.୨୦୨୧ଠାରୁ ବାରମ୍ବାର ତହସିଲ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଆଶାନୁରୂପ ସମାଧାନ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି l ଏହି ଜବରଦଖଲ ସମ୍ପର୍କରେ କେସ୍ ନଂ. ୯୮/୨୦୨୪ରେ ପୂର୍ବତନ ତହସିଲଦାର ଶ୍ରୀମତୀ ସ୍ୱର୍ଣ୍ଣରୂପା ରଥ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ତହସିଲଦାର ଶ୍ରୀମତୀ ଜି. ରଶ୍ମିରେଖାଙ୍କ କାର୍ଯ୍ୟକାଳରେ ମଧ୍ୟ ଏହାର ଚୂଡ଼ାନ୍ତ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ଆହୁରି ଆଶ୍ଚର୍ଯ୍ୟର କଥା, ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ଚିଠି ନଂ. ୩୭୬୭, ତା. ୨୮.୦୮.୨୦୨୬ ଜରିଆରେ ଜବରଦଖଲକାରୀଙ୍କୁ ୦୭.୦୯.୨୦୨୬ ସୁଦ୍ଧା ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ୱେ ଅଭିଯୋଗ ଅନୁସାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସୋନପୁର ଉପଜିଲ୍ଲାପାଳଙ୍କ କେସ୍ ନଂ. ୮/୨୦୨୬ରେ ଉଚ୍ଛେଦ ନିର୍ଦ୍ଦେଶ, ସୋନପୁର ପୌରପାଳିକାର ଚିଠି ନଂ. ୧୮୪୯, ତା. ୧୬.୦୬.୨୦୨୬, ଶାନ୍ତିନଗର ନାଗରିକ କମିଟିର ଅନୁରୋଧ ଏବଂ ଜିଲ୍ଲାପାଳଙ୍କ ଚିଠି ନଂ. ୪୭୯୪ ଓ ୬୭୩୦ ମାଧ୍ୟମରେ ହସ୍ତକ୍ଷେପ ସତ୍ତ୍ୱେ ସମସ୍ୟାର ସମାଧାନ ନହେବା ପ୍ରଶାସନିକ ତତ୍ପରତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ସର୍ବୋପରି, ଓଡ଼ିଶା ହାଇକୋର୍ଟଙ୍କ WP(C) ନଂ. ୧୧୫୧୯/୨୦୨୬ ମାମଲାରେ ଦୁଇ ସପ୍ତାହ ମଧ୍ୟରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଥିବା ସମ୍ପର୍କରେ ଅଭିଯୋଗକାରୀମାନେ ଉଲ୍ଲେଖ କରୁଥିବା ବେଳେ ତାହାର ଅନୁପାଳନ କେତେଦୂର ହୋଇଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ। ଏଠାରେ ବ୍ୟଙ୍ଗାତ୍ମକ ପ୍ରଶ୍ନ ଉଠୁଛି—ପ୍ରଶାସନର ନୋଟିସ୍ରେ ତାରିଖ ରହୁଛି, ନିର୍ଦ୍ଦେଶରେ ଶବ୍ଦ ରହୁଛି, ଫାଇଲ୍ରେ ଆଇନ ରହୁଛି; ହେଲେ ଜମିରେ ଉଚ୍ଛେଦ କାହିଁକି ଦେଖାଯାଉନାହିଁ? ଏହି ବିଳମ୍ବ ପଛରେ କୌଣସି ଚାପ ଅଛି କି, ନା ପ୍ରଶାସନିକ ଅବହେଳା—ତାହାର ନିରପେକ୍ଷ ତଦନ୍ତ ହେବା ଦରକାର। ଜବରଦଖଲ ଯୋଗୁଁ ଶାନ୍ତିନଗରର ପ୍ରବେଶପଥର ୪ରୁ ୫ ଫୁଟ ଜାଗା ଅବରୋଧ ହୋଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରି ସ୍ଥିତିରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ସାଂସଦଙ୍କ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ସରକାର ଓ ଜିଲ୍ଲାପାଳ ତୁରନ୍ତ ଘଟଣାର ତଦନ୍ତ କରି, ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ ଅଧିକାରୀଙ୍କ ଭୂମିକା ସ୍ପଷ୍ଟ କରନ୍ତୁ ବୋଲି ଶାନ୍ତିନଗରବାସୀ ଦାବି କରିଛନ୍ତି। କାରଣ, ସରକାରୀ ଜମିର ସୁରକ୍ଷା ଯଦି କେବଳ ନୋଟିସ୍ରେ ସୀମିତ ରହିବ, ତେବେ ସାଧାରଣ ଲୋକ ନ୍ୟାୟ ପାଇଁ ଆଉ କେଉଁ ଦ୍ୱାରକୁ ଯିବେ?
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
