ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ବାର୍ତ୍ତା
ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏଠାରେ ଉପସ୍ଥିତ ନିମନ୍ତ୍ରୀତ ଭଦ୍ରବ୍ୟକ୍ତି, ମୋର ସମସ୍ତ ସହକର୍ମୀ, ମୁଦ୍ରିତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମର ବନ୍ଧୁଗଣ, ଭାଇ ଓ ଭଉଣୀ ମାନଙ୍କୁ ମୋର ସମସ୍ତଙ୍କୁ ନମସ୍କାର ।
ବନ୍ଧୁଗଣ ଏହି ଅବସରରେ ମୁଁ ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦେବାକୁ ଚାହେଁ ଯେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ଅବସରରେ “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ପଟେଲ ଭାରତର ସ୍ଵାଧୀନତା ସଂଗ୍ରାମରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥଲେ। ସ୍ବାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବରେ ସେ ଶହ ଶହ ଗଡ଼ଜାତ ରାଜ୍ୟକୁ ଭାରତୀୟ ସଂଘରେ ମିଶାଇ ଜାତୀୟ ଏକତାର ମୂଳଦୁଆ ସୁଦୃଢ଼ କରିଥିଲେ। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଜାତୀୟ ଏକତା ଆମର ଶକ୍ତି ଏବଂ ଦେଶର ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ଵ। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏକତା ପାଇଁ ଦୌଡ଼, ଜାତୀୟ ସଂହତି, ଶାନ୍ତି, ସଭାବ ଓ ଶାରୀରିକ ସୁସ୍ଥତାର ବାର୍ତ୍ତା ପ୍ରଦାନ କରେ। ଆସନ୍ତୁ, ଆମର ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଦେଇ ଏକ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପ ନେବା।
ନୟାଗଡ଼ ଜିଲ୍ଲା ପୋଲିସ ସର୍ବଦା ନାଗରିକଙ୍କ ସୁରକ୍ଷା, ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତିବଦ୍ଧ। ଏଥିପାଇଁ ପୋଲିସ ସହିତ ଜନସାଧାରଣ, ପ୍ରଶାସନ ଓ ସମାଜର ସମସ୍ତ ବର୍ଗଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଆଜି ମୁଁ ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ଭଳି ଗମ୍ଭୀର ସାମାଜିକ ସମସ୍ୟା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। ନିଶା ଯୁବପିଢ଼ିର ସ୍ବାସ୍ଥ୍ୟ, ଶିକ୍ଷା ଓ ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜକୁ ଗଭୀର ଭାବେ ପ୍ରଭାବିତ କରେ।
ଆସନ୍ତୁ, ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ଏକାଠି ହେବା। ଅଭିଭାବକ, ଶିକ୍ଷକ, ଜନପ୍ରତିନିଧ୍ ଓ ଯୁବପିଢ଼ି ନିଶା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଓ ପୁନର୍ବାସ ପାଇଁ ସହଯୋଗ କରନ୍ତୁ।
ଏନ୍ ଡି ପି ଏସ ( NDPS ) ଆଇନ, ୧୯୮୫ ଅନୁଯାୟୀ ଗଞ୍ଜେଇ, ଅଫିମ, ହେରୋଇନ, ସିନ୍ଥେଟିକ ଡ୍ରଗ୍ଧ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ଅବୈଧ ଉତ୍ପାଦନ, ରଖୁବା, ବିକ୍ରୟ, ପରିବହନ ଓ ସେବନ ପାଇଁ କଠୋର ଦଣ୍ଡବିଧାନ ରହିଛି। କାଶ ସିରପର ଅବୈଧ ବିକ୍ରୟ କିମ୍ବା ଦୁରୁପଯୋଗ ମଧ୍ଯ ଆଇନଗତ କାର୍ଯ୍ୟାନୁଷ୍ଠାନର କାରଣ ହୋଇପାରେ। ପୋଲିସ ବିଭାଗ ଅବୈଧ ଚାଲାଣକାରୀଙ୍କ ବିରୋଧରେ ତଦନ୍ତ, ଜବତ, ଗିରଫ ଓ ମାମଲା ରୁଜୁ କରେ। ବିଗତ ବର୍ଷ ମାନଙ୍କରେ ୨୦୨୪ ମସିହାରେ ମୋଟ ୪୪ ଗୋଟି ମାମଲା ରୁଜୁ ହେବା ସହ ୫୫୨ କେଜି ଗଞ୍ଜା ଜବତ ହୋଇଛି ଏବଂ ୬୨ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭାବେ ୨୦୨୫ ମସିହାରେ ମୋଟ ୪୨ ଗୋଟି ମାମଲା ରୁଜୁ ହେବା ସହ ୭୪୦ କେଜି ଗଞ୍ଜା ଜବତ ହୋଇଛି ଏବଂ ୭୭ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ୨୦୨୬ ମସିହାରେ ବର୍ତ୍ତମାନ ସୁଦ୍ଧା ମୋଟ ୩୪ ଗୋଟି ମାମଲା ରୁଜୁ ହେବା ସହ ୩୬୪ କେଜି ଗଞ୍ଜା ଜବତ ହୋଇଛି ଏବଂ ୫୦ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ସମୟ ମଧ୍ୟରେ ମୋଟ ୭୭୮ କେଜି ଗଞ୍ଜା ଜବତ ହୋଇ ତାକୁ ନଷ୍ଟ କରାଯାଇଅଛି । ଅବୈଧ ନିଶାଦ୍ରବ୍ୟ କିମ୍ବା ଚାଷ ସମ୍ପର୍କରେ ଜାଣିଲେ ତୁରନ୍ତ ପୋଲିସ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରାଯାଉଅଛି । ମୁଁ ନୟାଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ପୋଲିସ ସହ ସହଯୋଗ କରିବାକୁ ଏବଂ ନିଶାମୁକ୍ତ ହୋଇ ଏକତାବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରୁଛି।
ମୋର ସହକର୍ମୀ ପୋଲିସ କର୍ମଚାରୀମାନେ, ଆସନ୍ତୁ ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳା, ସଚ୍ଚୋଟତା, ନିରପେକ୍ଷତା ଓ ଜନସେବା ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା । ଶେଷରେ, ଆସନ୍ତୁ ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେବା।
ପୁଣି ଥରେ, ମୁଁ ରାଷ୍ଟ୍ରୀୟ ଏକତା ଦିବସ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜନ୍ମବାର୍ଷିକୀରେ ନୟାଗଡ଼ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ନୟାଗଡ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ କୁମାର ପାତ୍ରଙ୍କ ମାନବ ସମାଜ ପ୍ରତି ଏହି ବାର୍ତ୍ତାକୁ ସବୁଆଡେ ସ୍ଵାଗତ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
