April 23, 2026
Home » ସୁବର୍ଣ୍ଣପୁରରେ ଅଷ୍ଟମ ପୋଷଣ ପକ୍ଷ ପାଳନ, ଶିଶୁ ପୋଷଣ ଓ ମାନସିକ ବିକାଶ ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁରରେ ଅଷ୍ଟମ ପୋଷଣ ପକ୍ଷ ପାଳନ, ଶିଶୁ ପୋଷଣ ଓ ମାନସିକ ବିକାଶ ଉପରେ ଗୁରୁତ୍ୱ

0
WhatsApp Image 2026-04-23 at 3.18.44 PM

 

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଅଷ୍ଟମ ପୋଷଣ ପକ୍ଷ ପାଳନ କରାଯାଇଛି । ଏହି ପକ୍ଷ ପାଳନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଏବଂ ଉପସ୍ଥିତ ଆଙ୍ଗନବାଡି କର୍ମୀମାନଙ୍କୁ ଶିଶୁମାନଙ୍କର ପୋଷଣ ଉପରେ ବ୍ୟକ୍ତିଗତ ଭାବରେ ଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡ଼. ଉଷାରଣୀ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବୀଣାପାଣି ମିଶ୍ର । ଜିଲ୍ଲାପାଳ ଡ଼. ସାହୁ ଆଙ୍ଗନବାଡି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ଯେ ସେମାନେ ନିଜ ଅଧୀନରେ ଆସୁଥିବା ଅଞ୍ଚଳର ୬ ବର୍ଷରୁ କମ ଶିଶୁମାନଙ୍କର ପୋଷଣ ମାତ୍ରାର ତଥ୍ୟ ରଖିବା ସହ ପ୍ରତିମାସ ତାହାର ତୁଳନା କରିବା ଆବଶ୍ୟକ । ପ୍ରତିମାସରେ ଏହି ପକ୍ଷ ଦୁଇଥର ପାଳନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପକ୍ଷ ପାଳନରେ ଆୟୋଜିତ ସଭାରେ ମାନସିକ ପୋଷଣ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଶିଶୁମାନେ କେମିତି କାର୍ଯ୍ୟକଳାପରେ ଅଂଶଗ୍ରହଣ କଲେ ତାଙ୍କର ମାନସିକ ବିକାଶ ହେବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ୯ ତାରିଖରୁ ଆଜି ୨୩ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ପୋଷଣ ପକ୍ଷ ପାଳନ କରାଯାଉଛି । ୯ ତାରିଖରୁ ଜିଲ୍ଲାରେ ଆଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା କେନ୍ଦ୍ର ସ୍ତରରେ, ପରେ ମଣ୍ଡଳ ସ୍ତରରେ ଏବଂ ତାହାପରେ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ସ୍ତରରେ ଏହା ପାଳିତ ହୋଇଆସିଛି । ଆଜି ପୋଷଣ ପକ୍ଷ ପାଳନର ଶେଷ ଦିନରେ ଜିଲ୍ଲା ସ୍ତରରେ ଏହା ପାଳନ କରାଯାଇଛି ।ଏହି ପକ୍ଷରେ ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପକ୍ଷ ପାଳନରେ ୫ଟି ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି । ତାହା ହେଲା ମା ଓ ଶିଶୁର ପୋଷଣ, ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ପ୍ରାରମ୍ଭିକ ବୟସରେ ଖେଳ ଆଧାରିତ ଶିକ୍ଷା, ଶିଶୁଙ୍କ ସ୍କ୍ରିନ ଟାଇମ କମ କରିବାରେ ମାତାପିତା ଓ ସମୁଦାୟର ଭୂମିକା, ଏବଂ ଆଙ୍ଗନବାଡି କେନ୍ଦ୍ରର ସଶକ୍ତିକରଣ ପାଇଁ ସାମୁହିକ ସମର୍ଥନ । ଏହି କାର୍ଯ୍ୟକ୍ରମରେ ଆଙ୍ଗନବାଡି କର୍ମୀ, ପରିଦର୍ଶିକା, ସ୍ୱୟଂ ସହାୟକ ଗୋଷ୍ଠୀ, କିଶୋରୀ ବାଳିକା ଓ ପୋଷଣ ଗୋଷ୍ଠୀ ସଂଯୋଜକମାନେ ଭାଗ ନେଇଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜନ ଆନ୍ଦୋଳନ ପୋର୍ଟାଲରେ ଭଲ ପ୍ରଦର୍ଶନ ପାଇଁ ସମନ୍ୱିତ ଶିଶୁ ବିକାଶ ସେବା ବିନକା ଏବଂ ବୀରମହାରାଜପୁରର ପୋଷଣ ଗୋଷ୍ଠୀ ସଂଯୋଜକମାନଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଏବଂ ଅନ୍ୟ ସମସ୍ତ ଅଧିକାରୀବୃନ୍ଦ ଆଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପୋଷଣ ଗୋଷ୍ଠୀ ସଂଯୋଜକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୋଷ୍ଟିକ ଖାଦ୍ୟ ପରିଦର୍ଶନ କରି ସେଗୁଡ଼ିକର ସ୍ୱାଦ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *