ସୁବର୍ଣ୍ଣପୁରରେ ଆଦିବାସୀ ଙ୍କ ବିରାଟ ସମାବେଶ, ସୁବର୍ଣ୍ଣପୁର କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ ପାଇଁ ଦାବି
ସୁବର୍ଣ୍ଣପୁର:ରବିବାର ଦିନ ( ବିଶ୍ୱ ଆଦିବାସୀ ଦିବସ ଅଗଷ୍ଟ 9 ) ସୁବର୍ଣ୍ଣପୁର ମାଟିରେ ବିଶ୍ୱ ଆଦିବାସୀ ଦିବସ କେବଳ ଏକ ଉତ୍ସବ ଭାବେ ନୁହେଁ, ବରଂ ଆଦିବାସୀ ଅସ୍ମିତା, ସ୍ୱାଭିମାନ, ସଂସ୍କୃତି, ଏକତା ଓ ସାମ୍ବିଧାନିକ ଅଧିକାରର ଏକ ଶକ୍ତିଶାଳୀ ଜନସ୍ୱର ଭାବେ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି l
ପାରମ୍ପରିକ ବେଶଭୂଷା, ନୃତ୍ୟ, ଗୀତ, ଢ଼ାପ, ଡକା ମାଦଳ, ନିଶାନ ଓ ବିଭିନ୍ନ ଆଦିବାସୀ ବାଦ୍ୟର ତାଳେ ହଜାର ହଜାର ଆଦିବାସୀ ଭାଇଭଉଣୀ ବିଶାଳ ଶୋଭାଯାତ୍ରା ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲା। ଆଦିବାସୀ ସଂସ୍କୃତି, ପରମ୍ପରା ଓ ସ୍ୱାଭିମାନର ଅପୂର୍ବ ସମାଗମରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା।
ପରେ ସୁବର୍ଣ୍ଣପୁର ଟାଉନ ହଲ୍ରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନିରଞ୍ଜନ ବିଶି, ପୂର୍ବତନ ସାଂସଦ (ରାଜ୍ୟସଭା), ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ. ନୃପରାଜ ସାହୁ, ବୌଦ୍ଧ SDC ଅଧ୍ୟକ୍ଷ, ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ସମସ୍ତ ବ୍ଲକ୍ ସଭାପତି ଓ ସମ୍ପାଦକ, ଜିଲ୍ଲା ଓ ବ୍ଲକ୍ ସ୍ତରର ସମସ୍ତ ପଦାଧିକାରୀ, ଆଦିବାସୀ ନେତୃବୃନ୍ଦ, ମହିଳା, ଯୁବକ-ଯୁବତୀ ଓ ହଜାର ହଜାର ଆଦିବାସୀ ଭାଇଭଉଣୀ ଯୋଗଦେଇଥିଲେ।

ସଭାରେ ଆଦିବାସୀ ସମାଜର ସାମ୍ବିଧାନିକ ଅଧିକାର, ଜଳ–ଜଙ୍ଗଲ–ଜମି, ଶିକ୍ଷା, ନିଯୁକ୍ତି, ଜମି ଓ ଜଙ୍ଗଲ ଅଧିକାର, ସାମାଜିକ-ଆର୍ଥିକ ନ୍ୟାୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ଗ୍ରାମସଭାର ଅଧିକାର ଏବଂ ଆଦିବାସୀ ସମାଜ ସମ୍ମୁଖୀନ ହେଉଥିବା ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ଗଭୀର ଆଲୋଚନା ହୋଇଥିଲା।ଭାରତୀୟ ସମ୍ବିଧାନ ଅନୁସୂଚିତ ଜନଜାତିଙ୍କୁ ଦେଇଥିବା ସୁରକ୍ଷା ଓ ଅଧିକାର କେବଳ ଆଇନର ପୃଷ୍ଠାରେ ସୀମିତ ନ ରହି ତୃଣମୂଳସ୍ତରରେ ତାହାର ପୂର୍ଣ୍ଣ, ନିଷ୍ଠାପର ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ହେବା ଆବଶ୍ୟକ ବୋଲି ଦୃଢ଼ ମତ ପ୍ରକାଶ ପାଇଥିଲା । ଏହି ଐତିହାସିକ ସମାବେଶ ଅବସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସୁବର୍ଣ୍ଣପୁର ପକ୍ଷରୁ ଆଦିବାସୀ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ, ଅନ୍ଵେଷା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସଂରକ୍ଷଣ, ଖଣି ଲିଜ ବନ୍ଦ, ଜଙ୍ଗଲ ଜମି ଅଧିକାର ସତ୍ତ୍ୱ ପ୍ରଦାନ,ସଂସ୍କୃତି ଭାଷା ଦେବଦେବୀ ସୁରକ୍ଷା, ସୋନପୁର କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ ବିକାଶ ଓ ବିଭିନ୍ନ ସମସ୍ୟା ସମ୍ପର୍କିତ 9 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।
ଆମର ସଂକଳ୍ପ ସ୍ପଷ୍ଟଆଦିବାସୀଙ୍କ ଅସ୍ତିତ୍ୱ ସହ କୌଣସି ସାଲିସ୍ ନାହିଁ।ଆଦିବାସୀଙ୍କ ଅସ୍ମିତା ସହ କୌଣସି ସାଲିସ୍ ନାହିଁ।ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସହ କୌଣସି ସାଲିସ୍ ନାହିଁ। ଜଳ–ଜଙ୍ଗଲ–ଜମି କେବଳ ପ୍ରାକୃତିକ ସମ୍ପଦ ନୁହେଁ..ଏହା ଆଦିବାସୀଙ୍କ ଜୀବନ, ଜୀବିକା, ଇତିହାସ, ସଂସ୍କୃତି ଓ ପରିଚୟ।“ସମ୍ବିଧାନ ଆମର ଅଧିକାର • ଜଳ–ଜଙ୍ଗଲ–ଜମି ଆମର ପରିଚୟ • ଗ୍ରାମସଭା ଆମର ଶକ୍ତି, ଏକତା ଆମର ସଂକଳ୍ପ।”. ବିଶ୍ୱ ଆଦିବାସୀ ଦିବସର ଏହି ଭବ୍ୟ ସମାବେଶକୁ ସଫଳ କରିଥିବା ସମସ୍ତ ବ୍ଲକ୍ ସଭାପତି, ସମ୍ପାଦକ, ପଦାଧିକାରୀ, ସ୍ୱେଚ୍ଛାସେବୀ, ଯୁବକ-ଯୁବତୀ, ମା’ ଭଉଣୀ ଏବଂ ହଜାର ହଜାର ଆଦିବାସୀ ଯୋଗଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
