ସୁସ୍ଥ ହୋଇ ଫେରିଲେ ସ୍ଵପ୍ନେଶ୍ଵର : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତ୍ୱରିତ ହସ୍ତକ୍ଷେପରେ ସୋନପୁରର ନାବାଳକଙ୍କୁ ମିଳିଲା ନୁଆଁ ଜୀବନ
ସୁବର୍ଣ୍ଣପୁର—ରାଜ୍ୟ ସରକାରଙ୍କ ଜନମୁଖୀ ସ୍ୱାସ୍ଥ୍ୟସେବା ଏବଂ ଗରିବ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପ୍ରତି ଥିବା ଅଙ୍ଗୀକାରର ଆଉ ଏକ ଉଦାହରଣ ସୃଷ୍ଟି ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ। ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ଓ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ନାବାଳକ ସମୟୋପଯୋଗୀ ଚିକିତ୍ସା ସହାୟତା ପାଇ ନୂଆ ଜୀବନ ପାଇଛି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମଝିପଡ଼ାର ବାସିନ୍ଦା ସୌମ୍ୟରଞ୍ଜନ ସାହୁଙ୍କ ପୁଅ ସ୍ୱପ୍ନେଶ୍ୱର ସାହୁ ହୃଦ୍ରୋଗରେ ପୀଡ଼ିତ ଥିଲେ। ଚିକିତ୍ସକମାନଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଶୀଘ୍ର ହୃଦ୍ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ଏଥିପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ବେସରକାରୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ସମ୍ଭବ ହୋଇନଥିଲା। ଏହି ପରିସ୍ଥିତିରେ ପରିବାର ପକ୍ଷରୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲା l ଏହି ଘଟଣା ଜାଣିବା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ) ଏବଂ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍ବିଏସ୍କେ) ଟିମ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆର୍ବିଏସ୍କେ ଯୋଜନା ମାଧ୍ୟମରେ ତୁରନ୍ତ ପ୍ରାୟ ୯୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହା ସହିତ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକ ପ୍ରଶାସନିକ ସହଯୋଗ ମଧ୍ୟ ସୁନିଶ୍ଚିତ କରାଯାଇଥିଲା। ଫଳରେ ବେଙ୍ଗାଲୁରୁରେ ସ୍ୱପ୍ନେଶ୍ୱରଙ୍କ ସଫଳ ହୃଦ୍ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନିଜ ଘର କୁ ଫେରିଛନ୍ତି ।ସ୍ୱପ୍ନେଶ୍ୱରଙ୍କ ସୁସ୍ଥତା ପରେ ତାଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ତ୍ୱରିତ ପଦକ୍ଷେପ ସେମାନଙ୍କ ପୁଅକୁ ଏକ ନୂତନ ଜୀବନ ପ୍ରଦାନ କରିଛି ବୋଲି ସେମାନେ ମତପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ତରଫରୁ ବରିଷ୍ଠ ଓକିଲ ବଳଦେବ ପ୍ରସାଦ ବେଦବାକ ଧନ୍ୟବାଦ ଜଣେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
