June 14, 2025
vlcsnap-2024-08-02-16h37m20s76

ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର। ପୁରୀ ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ ହେଉଥିବା ନେଇ ଅଭିଯୋଗ ପରେ ଖବର ଏହାକୁ ଉଛେଦ କରିଛି ଜିଲ୍ଲା ପ୍ରଶାସନ। ବ୍ରହ୍ମଗିରି ତହସିଲ ଅଧିନ ସିପସରୁବାଲି ମଉଜା ରେ ଆସୁଥିବା ଷ୍ଟର୍ଲିନ୍ ଛକ ନିକଟ ବେଳାଭୂମିରେ ହୋଇଥିବା ବେଆଇନ୍ ନିର୍ମାଣକୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ବ୍ରହ୍ମଗିରି ତହସିଲଦାର, ପିକେଡିଏ କର୍ତ୍ତୃପକ୍ଷ, ଜଙ୍ଗଲ ବିଭାଗ, ପୌରପାଳିକା ଓ ପୋଲିସ ଉପସ୍ଥିତିରେ ବୋଲଡଜର ଲଗାଯାଇ ଏହି ବେଆଇନ୍ ଗୃହ ନିର୍ମାଣକୁ ଉଛେଦ କରାଯାଇଛି। ତେବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ସୂଚନା ଅନୁଯାୟୀ ବେଳାଭୂମିରେ ସ୍ଥାୟୀ ନିର୍ମାଣ ସମ୍ପୁର୍ଣ୍ଣ ବେଆଇନ୍। ଏଣୁ ଏଠାରେ ପ୍ଲଟିଂ କରି ବିକ୍ରି କରିବା ହେଉ ଅବା ଗୃହ ନିର୍ମାଣ ଏହା ସମ୍ପୂର୍ଣ୍ଣ ନିୟମର ଖୋଲା ଉଲଂଘନ। ସିଆରଜେଡ୍ କର୍ତ୍ତୃପକ୍ଷଙ୍କ ଅନୁମତି ପାଇ ବେଳାଭୂମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିଷୟରେ ପ୍ରଶାସନ ସିଆରଜେଡ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ନିର୍ମାଣ ପାଇଁ ଥିବା ସମସ୍ତ ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି ସିଆରଜେଡ୍ କର୍ତ୍ତୃପକ୍ଷ। ତେଣୁ ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ କୁ ଉଛେଦ କରାଯାଇଛି । ବେଳାଭୂମିରେ ଉକ୍ତ ବ୍ୟକ୍ତି କିଭଳି ସ୍ଥିତିବାନ ଯାଗା ପାଇଲେ ସେନେଇ ମଧ୍ୟ ତଦନ୍ତ କରାଯାଉଛି। ଏନେଇ ସରକାରଙ୍କ ରାଜସ୍ବ ବିଭାଗକୁ ଅବଗତ କରାଯାଇ ଏହି ସ୍ଥିତିବାନ ଜମି ପଟ୍ଟାକୁ ବାତିଲ୍ କରାଯିବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ।

ଏଣିକି ପୁରୀ ବେଳାଭୂମିରେ ବେଆଇନ୍ ନିର୍ମାଣ ଯେଭଳି ନହୁଏ ତା ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ। ପୁରୀ ପୌରପାଳିକା, ଜଙ୍ଗଲ ବିଭାଗ, ପିକେଡିଏ, ତହସିଲଦାର ଏବଂ ପୋଲିସ ପ୍ରଶାସନକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ପୁରୀ ବେଳାଭୂମି ସହ ଅନ୍ୟାନ୍ୟ ଅଞ୍ଚଳରେ ବେଆଇନ୍ ଜବର ଦଖଲ ହୋଇଥିବା ସରକାରୀ ଜମିକୁ ଉଦ୍ଧାର କରାଯିବା ହେଉଛି ଏହି ଟିମ୍ ର ମୂଳଲକ୍ଷ। ତେବେ ଏଥିପାଇଁ ଅନେକ ସଂଖ୍ୟାରେ ମାନବସମ୍ବଳର ମଧ୍ୟ ଆବଶ୍ୟକ ଥିବାବେଳେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ପୁରୀ ସହରରେ ଜବରଦଖଲରେ ଥିବା ସରକାରୀ ଜମିକୁ ଉଦ୍ଧାର କରାଯିବ। ତେବେ ଆଜି ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ସହରର ବୁଦ୍ଧିଜୀବୀ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଅନେକ ଜମି ମାଫିଆ ବହୁ ମୁଲ୍ୟବାନ ସରକାରୀ ଜମିକୁ କବ୍ଜା କରି ଏହାକୁ ବେଆଇନ୍ ଭାବେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏଣୁ ଏହି ଜମି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏମାନଙ୍କୁ ସହଯୋଗ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହୋଇଛି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *