ପରଲୋକରେ ବରିଷ୍ଠ ଅଭିନେତା ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ୱର:ଓଲିଉଡ୍ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଚିରନିଦ୍ରାରେ ଶୋଇ ଯାଇଛନ୍ତି। ଗତ କିଛିମାସ ହେଲା ଲିଭର ସିରୋସିସ୍ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ।
ସେପଟେ ଦିଲ୍ଲୀରୁ ଉତ୍ତମଙ୍କ ପାର୍ଥିବ ଶରୀର ନେଇ ଆସୁଛନ୍ତି ପୁଅ ବାବୁଶାନ ଓ ପୁତ୍ରବଧୂ ତୃପ୍ତି । ଦିନ ୧୧.୩୦ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ। ଏହାପରେ ତାଙ୍କର ଶେଷକୃତ୍ୟ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ କରାଯିବାକୁ ଘୋଷଣା କରାଯାଇଛି।ଉତ୍ତମଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ପୁଅ ବାବୁଶାନଙ୍କ ସହ ପତ୍ନୀ ଅପରାଜିତା ଏକା ହୋଇପଡିଛନ୍ତି । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞନ ଦେଉଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ।
ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତ ହୋଇଥିଲା।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର