ପାରାଦୀପ ଠାରେ ରକ୍ତଦାନ ଶିବିର

ବିଶ୍ୱ ରକ୍ତଦାନ ଦିବସର ଅବସରରେ, ଭାରତୀୟ ତଟରକ୍ଷକ ବାହିନୀ, ଜିଲ୍ଲା ମୁଖ୍ୟାଳୟ (ଓଡ଼ିଶା) ଦ୍ୱାରା ୧୧ ଜୁନ୍ ୨୫ ତାରିଖରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ବିଶ୍ୱ ରକ୍ତଦାନ ଦିବସ-୨୦୨୫ ଅବସରରେ ଦେଶ ବ୍ୟାପି ଅଭିଯାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ମୋଟ ୯୦ ଜଣ ତଟରକ୍ଷକ ବାହିନୀର ସଦସ୍ୟ ଓ ତାଙ୍କର ପରିବାର ସଦସ୍ୟମାନେ ଅଂଶଗ୍ରହଣ କରି ୯୦ ୟୁନିଟ ରକ୍ତ ଦାନ କରିଥିଲେ। ଚଳିତ ବର୍ଷର ବିଶ୍ୱ ରକ୍ତଦାନ ଦିବସର ଥିମ୍ ହେଉଛି — “Give Blood, Give Hope: Together We Save Lives!”ତଟରକ୍ଷକ ଜିଲ୍ଲା ମୁଖ୍ୟାଳୟ (ଓଡ଼ିଶା) କମାଣ୍ଡର ମହୋଦୟ ସ୍ୱୟଂ ପ୍ରଥମ ରକ୍ତଦାନକାରୀ ଭାବରେ ଅଂଶ ଗ୍ରହଣ କରି, ଏହି ମହତ୍ କାର୍ଯ୍ୟରେ ସମ୍ମିଳିତ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହାକୁ ଆମ ଦେଶର ସଂସ୍କୃତି ଓ ପାରମ୍ପରିକ ମୂଲ୍ୟବୋଧ ସହ ସମ୍ମତ ଏକ ଉଦ୍ୟମ ବୋଲି ଉଲ୍ଲେଖ କରିଥିଲେ। ଶିବିର ବ୍ୟବସ୍ଥାପନାରେ ସାହାଯ୍ୟ କରିଥିବା ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟର ଚିକିତ୍ସକ ଓ କର୍ମଚାରୀଙ୍କ ପ୍ରତି ମଧ୍ୟ ସେ କୃତଜ୍ଞତା ପ୍ରକାଶ କରିଥିଲେ। ଚିକିତ୍ସା ଦଳ ଉପସ୍ଥିତମାନଙ୍କୁ ରକ୍ତଦାନର ଗୁରୁତ୍ୱ ବିଷୟରେ ଜଣାଇ ରକ୍ତ ଓ ରକ୍ତ ଉତ୍ପାଦନ ସାମଗ୍ରୀର ଜାଗତିକ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଶିବିର ସମୟରେ ସମସ୍ତ ସ୍ୱେଚ୍ଛାସେବକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସାଧାରଣ ଚିକିତ୍ସା ଯାଞ୍ଚ, ଯେପରିକି ରକ୍ତଚାପ ଓ ହିମୋଗ୍ଲୋବିନ୍ ସ୍ତର ଯାଞ୍ଚ ଦ୍ୱାରା ତାଙ୍କ ରକ୍ତଦାନ ଯୋଗ୍ୟତା ନିଶ୍ଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତଟରକ୍ଷକ ବାହିନୀ ର କର୍ମଚାରୀ ଓ ପରିବାର ସଦସ୍ୟମାନେ ଉତ୍ସାହ ଓ ଦୃଢ଼ ସମର୍ପଣର ସହିତ ଅଂଶଗ୍ରହଣ କରି ଜୀବନ ରକ୍ଷା ପ୍ରତି ସାମୂହିକ ଅଙ୍ଗୀକାରକୁ ପ୍ରମାଣିତ କରିଛନ୍ତି।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )