August 27, 2025
Home » ସୁବର୍ଣ୍ଣପୁର ଜିଲ୍ଲା ରେ ଫାଇଲେରିଆ ଔଷଧ ଖାଇଲେଣି ୨,୫୮, ୦୫୪

ସୁବର୍ଣ୍ଣପୁର ଜିଲ୍ଲା ରେ ଫାଇଲେରିଆ ଔଷଧ ଖାଇଲେଣି ୨,୫୮, ୦୫୪

0
WhatsApp Image 2025-08-17 at 1.56.09 PM

ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ ତାରିଖରୁ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁରହିଛି । ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ନିଜେ ଔଷଧ ସେବନ ପୂର୍ବକ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଆଜିଯାଏଁ ଜିଲ୍ଲାରେ ମୋଟ ୨,୫୮,୦୫୪ ଜଣ ହିତାଧିକାରୀ ଏହି ଔଷଧ ସେବନ କରି ସାରିଛନ୍ତି ଏବଂ ଆଗାମୀ ୩ ଦିନ ମଧ୍ୟରେ ୧,୭୨,୭୬୨ ଜଣ ଏହି ଔଷଧ ଖାଇବାର ଲକ୍ଷ୍ୟ ରହିଛି । ଗତ କିଛି ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ଏହି ସାମୁହିକ ଔଷଧ ସେବନ ଅଭିଯାନ ଚାଲୁଛି । ତେବେ ଡୁଙ୍ଗୁରିପାଲି ବ୍ଲକ ଏବଂ ବିନିକା ଗ୍ରାମାଞ୍ଚଳରେ ରାତ୍ରିକାଳୀନ ରକ୍ତ ନମୁନା ପରୀକ୍ଷାରୁ ଫାଇଲେରିଆ ସଂକ୍ରମଣ ଶୂନ୍ୟ ଥିବା ଜଣା ପଡ଼ିବାରୁ ସେଠାରେ ଏ ବର୍ଷ ଅଭିଯାନ ବନ୍ଦ ରହିଛି । ଡୁଙ୍ଗୁରିପାଲି ବ୍ଲକ ଏବଂ ବିନିକା ଗ୍ରାମାଞ୍ଚଳ ପରି ସମଗ୍ର ଜିଲ୍ଲାକୁ ଫାଇଲେରିଆ ମୁକ୍ତା କରିବାକୁ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଥିବା ବେଳେ ଲୋକେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ସୁବର୍ଣ୍ଣପୁରକୁ ଫାଇଲେରିଆ ମୁକ୍ତ ଜିଲ୍ଲା କରିବା ପାଇଁ ସାମୁହିକ ଔଷଧ ସେବନ ଅଭିଯାନରେ ଭାଗ ନେଇ ଔଷଧ ସେବନ କରୁଛନ୍ତି। ଏହି ଅଭିଯାନରେ ଖାଇବାକୁଥିବ ଔଷଧ ଗୁଡ଼ିକ ସମ୍ପୂର୍ଣ୍ଣ ନିରାପଦ । ୨ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଏହି ଔଷଧ ଖାଇବା ଜରୁରୀ । କେବଳ ଗର୍ଭବତୀ ସ୍ତ୍ରୀ ଏବଂ ଅତି ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ଖାଇବା ନିହାତି ଆବଶ୍ୟକ । ତେଣୁ କୌଣସି ଗୁଜବକୁ ନଶୁଣି ସମସ୍ତେ ଔଷଧ ସେବନ ପୂର୍ବକ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ତରଫରୁ ଆହ୍ବାନ ଦିଆଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *