July 13, 2026
Home » ବି ଏମ୍ ସି’ର  ମେଗା ‘ସଫେଇ ଆପଣାନ୍ତୁ ରୋଗ ହଟାନ୍ତୁ ଅଭିଯାନ’

ବି ଏମ୍ ସି’ର  ମେଗା ‘ସଫେଇ ଆପଣାନ୍ତୁ ରୋଗ ହଟାନ୍ତୁ ଅଭିଯାନ’

0
WhatsApp Image 2026-07-13 at 4.43.35 PM (1)
 ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଆଜି ବିଶାଳ ଗଣ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । “ସଫେଇ ଆପଣାନ୍ତୁ, ରୋଗ ହଟାନ୍ତୁ” ଅଭିଯାନର ଆଜି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।  କଟକ-ପୁରୀ ହାଇଟେକ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାର ସଂପୂର୍ଣ୍ଣ ସଫେଇ କରାଯାଇଛି । ଏଥିପାଇଁ ଛଅ ଗୋଟି ଭାଗରେ ସ୍ୱଚ୍ଛକର୍ମୀ, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛସାଥୀ, ସାନିଟାରୀ ଇନ୍ସପେକ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଏଜେନ୍ସିର କର୍ମୀ ବିଶେଷ କରି ସ୍ଥାନୀୟ ଲୋକମାନଙ୍କୁ ନିୟୋଜିତ କରାଯାଇଥିଲା । ଏକ ସଂଗରେ ଯାନ୍ତ୍ରିକ ସଫେଇ ଓ ମେଡିଆନ ସଫେଇ ମଧ୍ୟ କରାଯାଇଛି ।
କଟକ-ପୁରୀ ବାଇପାସ୍ ହାଇଟେକ ଛକ ନବଗୁଞ୍ଜର ନିକଟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନନୀୟା ମେୟର ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ସ୍ଥାନୀୟ ତଥା 18 ନମ୍ବର କର୍ପୋରେଟର ଶ୍ରୀ ବିପ୍ଲବ ବେହେରା,  45 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀ ଅମରେଶ ଜେନା,  44 ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀ ଅଜିତ୍ ବେହେରା, 5 ନମ୍ୱର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ମିନୁଶ୍ରୀ ଖୁଣ୍ଟିଆ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ, ସହକାରୀ କମିଶନର (ପିଆର) ସୁଶ୍ରୀ ସ୍ମୃତି ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱଚ୍ଛକର୍ମୀ, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛସାଥୀ, ସାନିଟାରୀ ଇନ୍ସପେକ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଏଜେନ୍ସିର କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଏବଂ ଟିମ୍ ବିଏମ୍ ସିଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
16 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ଦେଖିବାକୁ ଏହି ରାସ୍ତାରେ ହଜାର ହଜାର ଦର୍ଶନାର୍ଥି ଭକ୍ତଙ୍କର ସମାଗମ ହେବ । ଏହି ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ପୁରୀ ଯିବେ । ତେଣୁ ଏହି ରାସ୍ତା ସଫା ରଖିବା ଦରକାର । ରସ୍ତା ପାର୍ଶ୍ୱରେ ଥିବା ଦୋକାନୀମାନେ ନିଜେ ନିଜର ଦୋକାନ ସମ୍ମୁଖ ସଫା ରଖିବା ସହ କୌଣସି ପରିସ୍ଥିତିରେ ଯେପରି କାଗଜ, ଗୁଟଖା ଜରି, ପଲିଥିନ୍, କାଗଜ କପ୍, ପ୍ଲେଟ୍ ଆଦି ନ ପଡେ, ସେ ସଂପର୍କରେ ସ୍ଥାନୀୟ ଦୋକାନୀମାନଙ୍କୁ ତାଗିଦ କରିଛନ୍ତି ମାନନୀୟା ମେୟର ।
ଅନ୍ୟପକ୍ଷରେ କ୍ୟାଚ୍ ଦ ରେନ୍ ଅଭିଯାନରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ, ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ସଂରକ୍ଷଣ ସଂପର୍କରେ ମଧ୍ୟ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଶେଷରେ ନବଗୁଞ୍ଜର ମୂର୍ତ୍ତି ନିକଟରୁ ମାନନୀୟା ମେୟରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସଫେଇ ଆପଣାନ୍ତୁ ଅଭିଯାନ । ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପାଣ୍ଡରାଛକ, ମଙ୍ଗରାଜ ପଏଣ୍ଟ ଛକ, ଟଙ୍କପାଣି ସାଇବାବା ମନ୍ଦିର ଛକ ଆଦି ବିଭିନ୍ନ ସ୍ଥାନରେ 6ଗୋଟି ଗ୍ରୁପରେ କର୍ମୀମାନଙ୍କୁ ବିଭକ୍ତ କରାଯାଇଥିଲା ଏବଂ ଏହି ମେଗା ସଫେଇ ଅଭିଯାନ ଶେଷ ହୋଇଥିଲା ଲିଙ୍ଗିପୁରଛକଠାରେ ।
ଆଜି “ସଫେଇ ଆପଣାନ୍ତୁ, ରୋଗ ହଟାନ୍ତୁ” ଏବଂ “କ୍ୟାଚ୍ ଦ ରେନ୍”, ଏହି ଦୁଇଟି ଅଭିଯାନର ଶୁଭାରମ୍ଭ କରାଯାଇଛି । ପୁରୀର ପ୍ରମୁଖ ପ୍ରବେଶ ପଥ କଟକ-ପୁରୀ ବାଇପାସ୍ ରାସ୍ତା ସହ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଜାରି ରହିବ ବୋଲି, ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ସୂଚନା ଦେଇଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସ୍ଥାନୀୟ କର୍ପୋରେଟର ଶ୍ରୀ ବିପ୍ଲବ କୁମାର ବେହେରା ।

Leave a Reply

Your email address will not be published. Required fields are marked *