July 14, 2026
Home » ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2026-07-13 at 8.36.34 PM (1)

ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର

ବାରିପଦା / ଭୁବନେଶ୍ବର,:ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର (ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ) ୨୯ତମ ପ୍ରତିଷ୍ଠା ଦିବସ ଆଜି ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗରିମାମୟ ପରିବେଶରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ । ନିଜ ଅଭିଭାଷଣରେ ଡାକ୍ତର ମହାପାତ୍ର କହିଥିଲେ ଯେ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚଶିକ୍ଷା ପ୍ରଦାନରେ ସୀମିତ ନ ରହି ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଭୂମିକା ଗ୍ରହଣ କରିବ। ଆବଶ୍ୟକ । ଶିକ୍ଷା, ଗବେଷଣା, ନବସୃଜନ, ଦକ୍ଷତା ବିକାଶ ଏବଂ ସମାଜସେବା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ସକ୍ରିୟ ଅବଦାନ ଜିଲ୍ଲାର ସାମଗ୍ରିକ ପ୍ରଗତିକୁ ନୂତନ ଦିଗ ପ୍ରଦାନ କରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ସେ ଆହୁରି କହିଥିଲେ ଯେ, ନୂତନ ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ଅନୁଯାୟୀ ଜ୍ଞାନ, ଗବେଷଣା, ନବସୃଜନ ଓ ମାନବ ସମ୍ବଳ ବିକାଶକୁ ପ୍ରାଧାନ୍ୟ ଦେଇ ବିଶ୍ୱବିଦ୍ୟାଳୟ ଆଗକୁ ବଢ଼ିବା ଆବଶ୍ୟକ। ଏହାଦ୍ୱାରା ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ବିକାଶରେ ନୂତନ ଅଧ୍ୟାୟ ସୃଷ୍ଟି ହେବ ।

ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରଘୁନାଥ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ଏବଂ ଜ୍ଞାନଭିତ୍ତିକ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ ।

ମୟୂରଭଞ୍ଜ ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ ଏବଂ ମୟୂରଭଞ୍ଜ ରାଜପରିବାରର ଉତ୍ତରାଧିକାରୀ ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ।
ଆରମ୍ଭରେ ବିଶ୍ୱବିଦ୍ୟାଳୟର କୁଳସଚିବ ସୁଶ୍ରୀ ସୁମିତା ସିଂ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ ଏବଂ କାର୍ଯ୍ୟକ୍ରମର ରୂପରେଖା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
‘ଭୂମି ଗୌରବ’ ସମ୍ମାନ ସହ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ‘ଭୂମି ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା।
୨୦୨୫ ବର୍ଷ ପାଇଁ ‘ଭୂମି ଗୌରବ’ ସମ୍ମାନ ମୟୂରଭଞ୍ଜର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଶରତ ଚନ୍ଦ୍ର ନାୟକ, ଡକ୍ଟର ବନଜା ମହାନ୍ତି ଏବଂ ଇଞ୍ଜିନିୟର ରବିନାରାୟଣ ଭୂୟାଁଙ୍କୁ ପ୍ରଦାନ କରାଯାଇଥିଲା।
ସେହିପରି ୨୦୨୬ ବର୍ଷ ପାଇଁ ‘ଭୂମି ଗୌରବ’ ସମ୍ମାନ କଳା ଓ ସଂସ୍କୃତି କ୍ଷେତ୍ରରେ ଶ୍ରୀ ପରେଶ ଚନ୍ଦ୍ର ସାହୁ, ସମାଜସେବା କ୍ଷେତ୍ରରେ ଶ୍ରୀ ବିବେକାନନ୍ଦ ପଟ୍ଟନାୟକ ଏବଂ ଶିକ୍ଷା କ୍ଷେତ୍ରରେ ଶ୍ରୀ ହରିଶ୍ଚନ୍ଦ୍ର ହୋତାଙ୍କୁ ପ୍ରଦାନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ କନିଷ୍ଠ ସହାୟକ ଶ୍ରୀମତୀ ସନ୍ଦୀପ୍ତା ରାଉତ ଏବଂ ପିଅନ୍ ଶ୍ରୀମତୀ କବିତା ପଣ୍ଡାଙ୍କୁ ‘ଶ୍ରେଷ୍ଠ କର୍ମଚାରୀ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା।
କୃତୀ ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ
ଶୈକ୍ଷିକ ଉତ୍କର୍ଷତା ଏବଂ ସହପାଠ୍ୟ କାର୍ଯ୍ୟକଳାପରେ ସଫଳତା ପାଇଁ ବହୁ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୨୫ ମସିହାର ପ୍ରାଣୀବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ନମ୍ବର ଅର୍ଜନ କରିଥିବା ପ୍ରାଣୀବିଜ୍ଞାନ ବିଭାଗର ଏସ୍‌.ସି. ଅଞ୍ଜଳିଙ୍କୁ ‘କୁମୁଦିନୀ ମେମୋରିଆଲ୍ ପୁରସ୍କାର’ ପ୍ରଦାନ କରାଯାଇଥିଲା।
‘ଡକ୍ଟର ଅଶୋକ ପ୍ରିୟଦର୍ଶୀ ସ୍ମାରକ ପୁରସ୍କାର’ ୨୦୨୬ ବର୍ଷର ଶ୍ରେଷ୍ଠ ଇତିହାସ ସ୍ନାତକ ଭାବେ ଉଦଳାସ୍ଥିତ ଆଇ.ଜି. ମହିଳା ମହାବିଦ୍ୟାଳୟର ବିଦୁସ୍ମିତା ଘୋଷଙ୍କୁ ପ୍ରଦାନ କରାଯାଇଥିଲା।
‘ପ୍ରଫେସର ଦୀପକ ଷଡ଼ଙ୍ଗୀ ସ୍ମାରକ ପୁରସ୍କାର’ ଅନ୍ତର୍ବିଶ୍ୱବିଦ୍ୟାଳୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଫକୀରମୋହନ ବିଶ୍ୱବିଦ୍ୟାଳୟର ଲିପ୍ସା ଲୋପାମୁଦ୍ରା ବାରିକ (ପ୍ରଥମ), ସଂଘମିତ୍ରା ମହାନ୍ତି (ଦ୍ୱିତୀୟ) ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୁଭାକାଙ୍କ୍ଷିନୀ ତ୍ରିପାଠୀ (ତୃତୀୟ)ଙ୍କୁ ପ୍ରଦାନ କରାଯାଇଥିଲା।
ଏହାବ୍ୟତୀତ, ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ମାଧ୍ୟମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରୋଗ୍ରାମ୍ ଅଧିକାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରତିଷ୍ଠା ଦିବସ ସମାରୋହରେ ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ, ଗବେଷକ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଗରିମାମୟ ଆୟୋଜନକୁ ସଫଳ କରିଥିଲେ।
ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜର ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥଗିତ ରଖି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ପାଇଁ ବାରିପଦାରେ ପହଞ୍ଚିଥିଲେ। ଏହା ବିଶ୍ୱବିଦ୍ୟାଳୟ ପ୍ରତି ତାଙ୍କର ଆନ୍ତରିକତା ଓ ଉଚ୍ଚଶିକ୍ଷା ପ୍ରତି ଥିବା ପ୍ରତିବଦ୍ଧତାର ପରିଚୟ ବୋଲି ଉପସ୍ଥିତ ମହଳରେ ମତ ପ୍ରକାଶ ପାଇଥିଲା ।
……..

Leave a Reply

Your email address will not be published. Required fields are marked *