ବୀରମହାରାଜପୁରରେ ମାଇନ୍ସ ବିଭାଗର ଚଢ଼ାଉ, 1500 ଟନ ଧଳା ପଥର ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ 1500 ଟନର ଧଳାପଥର ଜବତ ହୋଇଥିବା ଖଣି ବିଭାଗ ସୂଚନା ଦେଇଛି। ତେଲିପାଲି ଅଞ୍ଚଳର ଖଣିରୁ ପ୍ରାୟ 9 ଶହ ଟନ, ବହଳପଦର ଅଞ୍ଚଳର ଖଣି ରୁ ପ୍ରାୟ 160 ଟନ, ଲୁଦୁମୁଣ୍ଡା ଖଣି ରୁ ପ୍ରାୟ 180 ଟନର ଧଳା ପଥର ଜବତ ହୋଇଛି। ଏହା ସହିତ ଆଗକୁ ମଧ୍ୟ ବିଭିନ୍ନ ବେଆଇନ ଖଣିରୁ ଉତ୍ତୋଳନ କରି ଗଚ୍ଛିତ କରି ରଖା ଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବେଆଇନ ଓ ବେଧଡକ ଭାବେ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ତେବେ ଅଭିଯୋଗ ଆଧାରରେ ଖଣି ବିଭାଗ ଅଞ୍ଚଳ ରେ ଚଢାଉ କରି ବିପୁଳ ପରିମାଣର ଖଣିଜ ପଥର କୁ ଜବତ କରିଛି। ବୀରମହାରାଜପୁର ଅଞ୍ଚଳର ତେଲିପାଲି, ଲୁଦୁମୁଣ୍ଡା, ଅମାତପାଲି, ବହଲପଦର, ଅମରପାଲି,ଭାଲୁଡୁଙ୍ଗୁରି ସମେତ ଅନେକ ସ୍ଥାନରୁ ବେଆଇନ ଭାବେ ବେରୁଜ, କାର୍ଜ, ରତ୍ନପଥର ,ଧଳା ପଥର ଆଦି ଖଣିଜ ଦ୍ରବ୍ୟ ବେଆଇନ ଭାବରେ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଖଣି ବିଭାଗ ତରଫରୁ ବିଭିନ୍ନ ସମୟ ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଜବତ କରି ଫାଇନ ଆଦାୟ କରୁଥିଲେ ମଧ୍ୟ ଚୋରା ଚାଲାଣକାରୀମାନେ ବେଆଇନ ଭାବରେ ଖଣିଜ ପଥର ଲୁଟ କରୁଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ପୋଲିସ ଟିମଙ୍କ ସହିତ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଖଣି ବିଭାଗର ମିଳିତ ଭାବେ ଚଢାଉ କରାଯାଇଛି lଡି.ଡି.ଏମ ବୀରକିଶୋର ତିର୍କିଙ୍କ ନେତୃତ୍ୱରେ ଉକ୍ତ ଚଢାଉ କରାଯାଉଛି। ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଧଳା ପଥରକୁ ଖଣିରୁ ଖନନ କରି ଗଚ୍ଛିତ କରି ରଖାଯାଉଥିଲା। ଏହି ସବୁକୁ ଜବତ କରାଯାଇଛି। ଜବତ ଧଳା ପଥରକୁ ଗୋପପାଲି ଓ ବଙ୍କିଆ ଠାରେ ଥିବା ଲାଇସେନ୍ସଧାରୀଙ୍କ ପାଖ ରେ ଜିମା ଦିଆଯାଇଛି l ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିବ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 1500 ଟନ ଧଳା ପଥର ଜବତ ହୋଇଛି ବୋଲି ଡିଡିଏମ ବୀରକିଶୋର ର୍ତିକି ପ୍ରକାଶ କରିଛନ୍ତି। ଚଢାଉ ସମୟରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଉପସ୍ଥିତି ଥିଲେ। ଖଣି ବିଭାଗର ଜେଏମଓ ସୌମ୍ୟରଞ୍ଜନ ବେହେରା, ଉମେଶ ପଟେଲ, ଶୁଭମ ବିଶାଳ, ଦେବାଶିଷ ଦେହୁରୀ, ନରେଶ ମରାଇ, ଜ୍ୟୋତି ରଞ୍ଜନ, ଟି.ବି ବବଲି ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..