October 29, 2025
Home » ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କଲେ ଜଷ୍ଟିସ୍‌ ଗୱାଇ

ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଙ୍କୁ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପାରିସ କଲେ ଜଷ୍ଟିସ୍‌ ଗୱାଇ

0
WhatsApp Image 2025-10-28 at 7.43.24 AM (1)

 

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗୱାଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ କେନ୍ଦ୍ରକୁ ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଗୱାଇ ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ଭାବେ ଅବସର ଗ୍ରହଣ କରିବା ପରେ ସୁପ୍ରିମ୍‌କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ।

ଚଳିତ ବର୍ଷ ମେ ୧୪ ତାରିଖରେ ଶପଥ ଗ୍ରହଣ କରିଥିବା ପ୍ରଧାନ ବିଚାରପତି ଗୱାଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି। ୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷରୁ ଅଧିକ ହେବ। ସେ ଫେବ୍ରୁଆରି ୯, ୨୦୨୭ରେ ଅବସର ନେବାର କାର୍ଯ୍ୟକ୍ରମ ରହିଛି।

୧୯୬୨ ମସିହା ଫେବ୍ରୁଆରି ୧୦ ତାରିଖରେ ହରିୟାଣାର ହିସାର ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୨୦୧୯ ମେ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ବିଚାରପତି ହୋଇଥିଲେ। ଧାରା ୩୭୦ ଉଚ୍ଛେଦ, ବାକ୍ ସ୍ବାଧୀନତା, ଗଣତନ୍ତ୍ର, ଦୁର୍ନୀତି, ପରିବେଶ ଓ ଲିଙ୍ଗଗତ ସମାନତା ଆଦି ଅନେକ ମାମଲାର ବିଚାର କରି ସେ ଐତିହାସିକ ରାୟ ଦେଇଛନ୍ତି। ଉପନିବେଶବାଦୀ ଯୁଗର ଦେଶଦ୍ରୋହ ଆଇନକୁ ସ୍ଥଗିତ ରଖିଥିବା ଖଣ୍ଡପୀଠରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଥିଲେ। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପରେ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବା ୬୫ ଲକ୍ଷ ନାମର ବିବରଣୀ ପ୍ରକାଶ କରିବାକୁ ସେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି।

ସୁପ୍ରିମ୍‌କୋର୍ଟ ବାର୍ ଆସୋସିଏସନ୍ ସମେତ ବାର୍ ଆସୋସିଏସନର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେବାର ଶ୍ରେୟ ମଧ୍ୟ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଯାଇଛି। ସେ ପ୍ରତିରକ୍ଷା ବାହିନୀ ପାଇଁ ୱାନ୍ ରୢାଙ୍କ୍-ୱାନ୍ ପେନ୍‌ସନ୍ (ଓଆର୍‌ଓପି) ଯୋଜନାକୁ ସମର୍ଥନ କରି ରାୟ ଦେଇଛନ୍ତି। ୧୯୬୭ ମସିହାରେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ରାୟକୁ ଖାରଜ କରି ଅନୁଷ୍ଠାନର ସଂଖ୍ୟାଲଘୁ ମାନ୍ୟତା ଉପରେ ପୁନର୍ବିଚାର ପାଇଁ ବାଟ ଖୋଲିଥିବା ସାତଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଥିଲେ। ପେଗାସସ୍ ସ୍ପାଏୱେର୍ ମାମଲାର ଶୁଣାଣି କରିଥିବା ଖଣ୍ଡପୀଠରେ ବି ସେ ଥିଲେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *