ପବିତ୍ର ଶିଶୁ ଦିବସ ଅବସରରେ ବାର୍ତ୍ତା ” ପିଲାମାନେ ଭଲ ପାଠ ପଢ଼ କିନ୍ତୁ ପିତା ମାତାଙ୍କୁ ଭୁଲ ନାହିଁ ” ।
ନୟାଗଡ ପବିତ୍ର ଶିଶୁ ଦିବସ ଅବସରରେ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର (ବିଦ୍ୟାଳୟ ) ପରିସରରେ ଶିଶୁ ଦିବସ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି। ପ୍ରଥମେ ସଭାପତି , ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ମଞ୍ଚରେ ବିରାଜିତ ଠାକୁରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦୀପ ଧୂପ ଅର୍ପଣ ପରେ , ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ରେଜିଓନାଲ ଡାଇରେକ୍ଟର ରଞ୍ଜନ କୁମାର ଦାସ ଆମ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା ପାଇଁ ଏହି ଦିବସଟି ସମଗ୍ର ଭାରତ ବର୍ଷରେ ଶିଶୁ ଦିବସ ରୂପେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ବୋଲି କହିବା ସହିତ ଭଲ ପାଠ ପଢି ଡାକ୍ତର ହୁଅ ଇଂଜିନିୟର ହୁଅ,କଲେକ୍ଟର ହୁଅ ଯେଉଁ ପ୍ରକାର ବଡ଼ ମଣିଷ ହେବାକୁ ଚାହୁଁଛ ବଡ଼ ମଣିଷ ହୁଅ ମନା ନାହିଁ , କିନ୍ତୁ ଭଲ ମଣିଷ ହେବା ପାଇଁ ଚେ଼ଷ୍ଟା କର ଏବଂ ଜୀବନରେ କେବେହେଲେ ନିଜ ପିତାମାତାଙ୍କୁ ଭୁଲ ନାହିଁ ବୋଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।
ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ, ନାଟ୍ୟକାର ତଥା ନାଟ୍ଯ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ପ୍ରଫେସର ପ୍ରତାପ ଚନ୍ଦ୍ର ସିଂହ ଯୋଗଦେଇ ଆଜିର ଶିଶୁ ଦିବସ ଅବସରରେ କୌତୁକ ପୋଷାକ ପ୍ରତିଯୋଗିତା ପାଇଁ କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁ ମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ କହିଥିଲେ ଯେ, ତୁମେମାନେ ମୋବାଇଲ ଦେଖୁଛ ମନା ନାହିଁ କିନ୍ତୁ ମୋବାଇଲ ପାଇଁ ନିଜ ଭବିଷ୍ଯତକୁ ନଷ୍ଟ କର ନାହିଁ।

ଶିଶୁ ମାନେ ଚଗଲା ବା ବାଳୁଙ୍ଗା ହେଲେ ସେମାନଙ୍କ ଭିତରେ ସ୍ରୁଜନାତ୍ମକ ଚିନ୍ତନ ଉଦ୍ରେକ ହୋଇଥାଏ ବୋଲି ଉପସ୍ଥିତ ପିତାମାତାଙ୍କୁ ପରାମର୍ଶ ଦେବା ସହିତ ଶିଶୁ ମାନଙ୍କୁ ଭୟଭୀତ ନକରି ସେମାନଙ୍କ ସହିତ ବନ୍ଧୁ ହୋଇ ଶିକ୍ଷା ଦାନ କରିବା ପାଇଁ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଅନୁରୋଧ କରିଥିଲେ। ଶିଶୁ ଶ୍ରମ ବିରୋଧି ଅଭିଯାନ, ଓଡିଶାର ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସମର୍ପଣ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ଯତ , ତେଣୁ ଶିଶୁ ମାନେ ପାଠ ପଢିବା ସମୟରେ ଶିଶୁ ଶ୍ରମିକ ନ ହେବା ପାଇଁ ସମସ୍ତ ପିତା ମାତା ମାନେ ଯତ୍ନଶୀଳ ହେବା ପାଇଁ ନିବେଦନ କରିବା ସହିତ ଶିଶୁ ଶ୍ରମ ମୁକ୍ତ ଓଡିଶା ପାଇଁ ସମସ୍ତ ଓଡିଶାବାସୀ ନାଗରିକ ମାନେ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରିଥିଲେ। ବିଦ୍ଯାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ମୁଖ୍ଯ ଅତିଥିଙ୍କ ସନ୍ଦେଶକୁ ଦୋହରାଇ ସ୍ବାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ବଡହେଲା ପରେ ବିଶ୍ବ ବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ, ସେ ବିଷୟରେ ବକ୍ତବ୍ଯ ରଖିଥିଲେ।
ଏହି ପବିତ୍ର କାର୍ଯ୍ୟକ୍ରମରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡିବାଲି, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇ ଥିବା ଶିଶୁ ମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ।ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ପବିତ୍ର ଗୁରୁଜୀ, ରଂଜନ ଗୁରୁଜୀ ଓ ଦିଲ୍ଲୀପ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ଶିଶୁ ଦିବସ ପାଇଁ ବିଦ୍ଯାଳୟ ତରଫରୁ ସମସ୍ତ ଶିଶୁ ଓ ଅଭିଭାବକ ମାନଙ୍କ ପାଇଁ ବିରିୟାନୀ ଭୋଜି ବ୍ଯବସ୍ଥା କରାଯାଇଥିଲା।ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ଶିଶୁ ଓ ସେମାନଙ୍କର ଅଭିଭାବକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
