ସୁବର୍ଣ୍ଣପୁରରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ଗୁରୁବାର ଜିଲ୍ଲାପାଳଙ୍କ ଛୋଟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ । ବୈଠକରେ ଆଞ୍ଚଳିକ ପରିବହନ କାର୍ଯାଳୟ ଦ୍ୱାରା ଗତ ଡିସେମ୍ବର ମାସରେ ଆୟୋଜିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଜିଲ୍ଲାରେ ସଡ଼କ ଦୁର୍ଘଟଣାର ସଂଖ୍ୟା କମ କରିବା ପାଇଁ କଣ କଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ସମିତିର ସଦସ୍ୟମାନଙ୍କ ସହିତ ଆଲୋଚନା କରାଯାଇଥିଲା । ବୈଠକକୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ପରିଚାଳନା କରିଥିଲେ । ଏହି ବୈଠକରେ ସମସ୍ତ କମିଟି ସଦସ୍ୟ ବୃନ୍ଦ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚିତ ବିଷୟମାନଙ୍କ ମଧ୍ୟରେ ଉଲୁଣ୍ଡା ରୁ ସିଂଢୋଲ ରାସ୍ତାରେ ଥିବା ଡୁଡୁପାଲି ଛକକୁ ବ୍ଲାକ୍ ସ୍ପଟ୍ ଭାବେ ଘୋଷଣା କରିବା ଓ ସେଠାରେ ସଡ଼କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ଜିଲ୍ଲା ସଡ଼କ ଓ କୋଠା ବିଭାଗକୁ ଡୁଡୁପାଲି ଛକରେ ଏକ ସ୍ପିଡ଼ ବ୍ରେକର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ସୁବର୍ଣ୍ଣପୁର ସହରର ବିଭିନ୍ନ ସ୍ଥାନରେ ସୂଚନା ଫଳକ ସ୍ଥାପନ, ଅବସ୍ଥିତ ସୂଚନା ଫଳକଗୁଡ଼ିକୁ ସଫା କରି ସ୍ପଷ୍ଟ ଭାବରେ ଦୃଶ୍ୟମାନ କରିବା, ଡାକ୍ତରଖାନା ନିକଟସ୍ଥ ବୁଢାରଜା ଛକରେ ଭାରି ଯାନବାହାନ ପ୍ରବେଶ ନିଷେଧ ପାଇଁ ଏକ ନୂତନ ସୂଚନା ଫଳକ ସ୍ଥାପନ ଓ ତୀର ଚିହ୍ନ ମାଧ୍ୟମରେ ଠିକ ରାସ୍ତା ଦର୍ଶାଇବା, ସହର ପ୍ରବେଶ ପଥରେ ଏକ ସ୍ୱାଗତ ଗେଟ୍ ଏବଂ ମହାନଦୀ ବ୍ରିଜର ନଷ୍ଟ ହୋଇଥିବା ଆଲୋକୀକରଣ ବ୍ୟବସ୍ଥାର ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଗତ ଡିସେମ୍ବର ମାସରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ୨୫,୬୮,୦୪୪ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିବା ଓ ଆହୁରି ୬୩,୮୨,୭୩୧ ଟଙ୍କା ଜରିମାନା ଆଦାୟ କରିବାକୁ ବାକି ଅଛି ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ଜିଲ୍ଲାରେ ଗତ ମାସରେ ୧୧୪ ଟି ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ୩ ଟି ସାଙ୍ଘାତିକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମଧ୍ୟ ଦିଆଯାଇଥିଲା । ଶ୍ରୀ ଜେନା କହିଥିଲେ ଯେ ପ୍ରତିଦିନ ଜିଲ୍ଲାରେ ଯାନବାହାନ ଚେକିଂ ପ୍ରକ୍ରିୟା ଜାରି ରହିଛି ଏବଂ ଚଳିତ ଜାନୁଆରୀ ମାସରେ ବିଭାଗ ଦ୍ୱାରା ସଚେତନତା ରାଲି, ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଅଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
